ଭୁବନେଶ୍ୱର: ପାଖେଇ ଆସୁଛି ନୂଆବର୍ଷ । ଗାଁ ଠୁ ସହର ସବୁଠି ଏବେ ନୂଆବର୍ଷକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଲାଣି । ତେବେ ଏହାରି ଭିତରେ ପୁରୁଣା ବର୍ଷ ସରି ସରି ଯାଉଛି । ଚଳିତବର୍ଷ ସମସ୍ତଙ୍କୁ ଅନେକ ସ୍ମୃତି ଦେଇଛି । ତେବେ ରାଜନୀତି କ୍ଷେତ୍ରରେ ଚଳିତ ବର୍ଷ ୨୦୨୪ କିଭଳି ରହିଥିଲା, ଆସନ୍ତୁ ନଜର ପକାଇବା
- ‘୨୦୨୪’ରେ ଭାଙ୍ଗିଲା ୨୪ ବର୍ଷର ସରକାର
- ଶାସନରୁ ହଟିଲା ବିଜେଡ଼ି
- ଏକାକୀ ସରକାର ଗଢିଲା ବିଜେପି
- ନବୀନଙ୍କୁ ହରାଇ ଗାଦିରେ ବସିଲେ ମୋହନ
- ଲୋକସଭାରେ ସବୁ ପୋଛିନେଲା ବିଜେପି
- ଗୋଟିଏ ବି ଆସନ ହାତେଇ ପାରିଲାନି ବିଜେଡ଼ି
- ମୋହନଙ୍କ କାନ୍ଧରେ ଓଡ଼ିଶାର ଭାର
- ବିରୋଧୀ ଆସନରେ ବସିଲେ ନବୀନ
ବର୍ଷ ୨୦୨୪, ଓଡ଼ିଶା ରାଜନୀତିରେ ଆଣିଛି ବଡ଼ ପରିବର୍ତ୍ତନ । ୨୪ ବର୍ଷ କାଳ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସରକାର ପରିବର୍ତ୍ତନ କରାଇଛି ବର୍ଷ-୨୦୨୪ । ଚଳିତ ବର୍ଷ ବିଜେପି ଓଡ଼ିଆ ଅସ୍ମିତା ଓ ଦୁଇ ଥର ଫୁଲ ଦୁଇ ଗୁଣା ବିକାଶକୁ ପାଥେୟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ତେବେ ମୋଦୀଙ୍କ ଲୋକପ୍ରିୟତା ଆଗେ ଫିକା ମାରିଥିଲା ନବୀନଙ୍କ କ୍ରେଜ୍ । ଶେଷରେ ଜନତା ହିଁ ଜନାର୍ଦ୍ଦନ ବୋଲି ପ୍ରମାଣିତ ହେଲା ।
ଦିନେ ଏକାକୀ ୧୧୦ରୁ ଉଦ୍ଦ୍ୱର୍ ବିଧାନସଭା ଆସନରେ ବାଜିମାତ୍ କରୁଥିବା ବିଜେଡ଼ି ୨୦୨୪ରେ ମାତ୍ର ୫୧ଟି ଆସନରେ ସୀମିତ ରହିଥିଲା । ଫଳାଫଳର ପରଦିନ ରାଜ୍ୟପାଳଙ୍କ ନିକଟକୁ ଯାଇ ନିଜ ଇସ୍ତଫା ପତ୍ର ଦାଖଲ କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ନବୀନ ବସିଥିଲେ ବିରୋଧୀ ଆସନରେ । ନିର୍ବାଚନ ଫଳଫଳା ଆସିବା ପରେ କିଏ ହେବ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଶେଷରେ ଜଣେ ଆଦିବାସୀ ଟାଣୁଆ ନେତା ତଥା ବିଜେପିରେ ବିରୋଧୀ ଦଳ ଉପ ସଚେତକ ରହିଥିବା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲା ଭାରତୀୟ ଜନତା ପାର୍ଟି । ୧୨ ଜୁନରେ ଜନତା ମୈଦାନରେ ହୋଇଥିଲା ନବ ନିର୍ବାଚିତ ସରକାରଙ୍କ ଭବ୍ୟ ଶପଥ ସମାରୋହ । ଯେଉଁଥିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ନୀତିନ୍ ଗଡକାରୀଙ୍କ ସମେତ ବିଜେପି ଶାସିତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ।
କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ମଧ୍ୟ ବର୍ଷ ୨୦୨୪ ରାଜନୀତିରେ କ୍ଷେତ୍ରରେ ଅନେକ ସ୍ମୃତି ଛାଡ଼ିଛି । ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି ନରେନ୍ଦ୍ର ମୋଦୀ ଏବଂ ଏଥର ମୋଦୀଙ୍କୁ ଶପଥ କରାଇଥିଲେ ଜଣେ ଓଡ଼ିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବର୍ଷ ୨୦୨୪ ଜାମ୍ମୁ-କାଶ୍ମୀର ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ଜାମ୍ମୁ-କାଶ୍ମୀରରୁଧାରା ୩୭୦ ହଟିବା ପରେ ପ୍ରଥମ ପାଇଁ ହୋଇଥିଲା ନିର୍ବାଚନ ।
ଦିଲ୍ଲୀ ରାଜନୀତିରେ ସରଗରମ ରହିଥିଲା ବର୍ଷ ୨୦୨୪ । ବର୍ଷ ୨୦୨୪ ର୍ ଦିଲ୍ଲୀରେ ବି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଇଛି । ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମେ ଇଡ଼ି ଓ ପରେ ସିବିଆଇ ଗିରଫ କରିଥିଲା । ତିହାର ଜେଲରେ ୬ ମାସ ରହିବା ପରେ ଜାମିନରେ ବାହାରିଥିଲେ କ୍ରେଜିୱାଲ । କ୍ରେଜିୱାଲ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସଫା ଦେଇଥିଲେ, ଆଉ କିଏ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଚର୍ଚ୍ଚା ମଧ୍ୟରେ କେଜ୍ରିୱାଲଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଥିବା ଅତିଶି ହୋଇଥିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବର୍ଷ ୨୦୨୪ ଝାଡଖଣ୍ଡରେ କମାଲ କରିଥିଲା ସ୍ୱାମୀ -ସ୍ତ୍ରୀଙ୍କ ଯୋଡି । ବିଜେପିକୁ ଟକ୍କର ଦେଇ ହେମନ୍ତ ସୋରେନ୍ ଓ କଳ୍ପନା ସୋରେନ୍ ଝାଡଖଣ୍ଡରେ ପୁଣିଥରେ ସରକାର ଗଢିଥିଲେ ।