ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ କୃଷକ ଦିବସ । କୃଷକ ବିନା ଆମ ଜୀବନ ଅଧୁରା | ଯିଏ କି କେବେ ବି ନିଜ କଥା ନ ଭାବି ନିଜ ପରିବାର କଥା ନ ଭାବି ସବୁବେଳେ ସମସ୍ତଙ୍କ ପାଇଁ କାମ କରିଥାଏ । ନିଜର କଠିନ ପରିଶ୍ରମ ଦ୍ୱାରା ଖେତରେ ସୁନାର ଫସଲ ଉତ୍ପାଦିତ କରିଥାଏ | ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ତଥା ଜଣାଶୁଣା କୃଷକ ନେତା ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ କୁ ସାରା ଦେଶ ଜାତୀୟ କୃଷକ ଦିବସ ରୂପେ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକ ମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ ।
ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ୍ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖିତ ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି । ତେବେ ସେ ବି ଜଣେ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ କୃଷକ ମାନଙ୍କ ସମସ୍ୟା ବିଷୟରେ ସେ ଭଲ ଭାବରେ ଅବଗତ ଥିଲେ । କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ।
କୃଷକ ନିଜ ଝାଳ ବୁହାଇ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ। ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଚରଣ ସିଂହ ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଥିଲେ। ଏହି ଦିବସ ପାଳନ ହେବାର ଆଉ ଏକ କାରଣ ହେଲା କୃଷକଙ୍କର ଯୋଗଦାନକୁ ଲୋକଙ୍କୁ ଜଣାଇବା। ଆମ ଦେଶରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ନାନା ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଛି । କୃଷକ ଦିବସ ଅବସରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ, ସେମିନାର, ଉତ୍ସବ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ତଥାପି ଆମ ରାଜ୍ୟ ଓଡିଶାରେ କୃଷି ଆତ୍ମହତ୍ୟା ଏକ ଅଭିଶାପ ସଦୃଶ ପାଲଟିଛି । ଅଧିକାଂଶ ସମୟରେ କୃଷକ ଆତ୍ମହତ୍ୟା ଖବରର ଶିରୋନାମାରେ ରହୁଛି । ତେଣୁ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ସଂକଳ୍ପବଦ୍ଧ ହେବା ସହ ଅକାଳରେ ଯେପରି ଅନ୍ନଦାତାର ଜୀବନ ନଯାଏ ସେଥିପ୍ରତି ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି ।