ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରତିବର୍ଷ ୮ ସେପ୍ଟେମ୍ବର ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ ସାକ୍ଷରତା ଦିବସ। ଆଧୁନିକ ବିଶ୍ବରେ ଶିକ୍ଷାର ମହତ୍ତ୍ବ ଓ ନିରକ୍ଷରତାକୁ ସମାପ୍ତ କରିବା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଉଛି। ବିଶ୍ବରେ ଶିକ୍ଷାର ଗୁରୁତ୍ବ ଓ ପ୍ରାଥମିକତାକୁ ବିଶ୍ବବ୍ୟାପୀ ପ୍ରତ୍ସାହିତ କରିବା ପାଇଁ ଆଜିର ଦିନରେ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ଜାତିସଂଘର ସାଂସ୍କୃତିକ ଶାଖା ୟୁନେସ୍କୋ। ଏପରିକି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
ଐତିହାସିକଙ୍କ ମତରେ ବିଶ୍ବରେ ନିରକ୍ଷରତା ହଟାଇବା ପାଇଁ ଏହି ଦିବସ ପାଳିତ ହୋଇ ଆସୁଥିବା ବେଳେ ଏହାର ସୁତ୍ରପାତ ଇରାନରୁ ହୋଇଥିଲା। ୧୯୬୫ ମସିହାର ସେପ୍ଟେମ୍ବର ୮ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପ୍ରଥମେ ଇରାନ ରାଜଧାନୀ ତେହେରାନରେ ପାଳିତ ହୋଇଥିଲା। ସେତେବେଳେ ଏହା ଅନ୍ତର୍ଜାତୀୟ ମାନ୍ୟତା ପାଇନଥିଲା। ଇରାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଆଧୁନିକ ତଥା ସମୃଦ୍ଧ ବିଶ୍ବରେ ଶିକ୍ଷାର ଗୁରୁତ୍ବକୁ ପ୍ରଚାର ପ୍ରସାର ଓ ନିରକ୍ଷରତାବିହୀନ ବିଶ୍ବ ପାଇଁ ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ଘୋଷଣା କରିଥିଲା ୟିନେସ୍କୋ ଏହାପରେ ଏହି ଦିନକୁ ପ୍ରଥମ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଉଛି।