ଆମ ଦେଶ ଭାରତ ଏକ ସୁନ୍ଦର ଦେଶ, ବନ ଲତା, ପାହାଡ଼ ପର୍ବତରେ ଭରା ଏ ଦେଶ ଅନେକ ସ୍ମୃତିର ମୁକ ସାକ୍ଷୀ । ଏ ଦେଶରେ ମଣିଷମାନେ ଯେତିକି ସରଳ ସେତିକି ନିରୀହ । ଆମ ଦେଶରେ ଅନେକ ସହର, ଅନେକ ଗାଁ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରେ ।ଏଠାରେ ରହିଛି ଏମିତି କିଛି ବିଶେଷତ୍ୱ ଯାହା ଏହି ଗାଁ ଗୁଡିକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆସନ୍ତୁ ଜାଣିବା ଏମିତି କିଛି ଭିନ୍ନ ଗାଁ ବିଷୟରେ ...
ମହାରାଷ୍ଟ୍ରରେ ରହିଛି ଶନି ସିଗ୍ନାପୁର ନାମକ ଏକ ଗାଁ । ଯେଉଁ ଗାଁ ରେ କୌଣସି ଘରେ କବାଟ ଲାଗେ ନାହିଁ, ଏଠାରେ ପୋଲିସ ଷ୍ଟେସନ ମଧ୍ୟ ନାହିଁ, ଖାଲି ସେତିକି ନୁହେଁ ଗାଁ ରେ ଆଜିଯାଏ ଗୋଟିଏ ବି ଚୋରି ହୋଇ ନାହିଁ । କାରଣ ଏଠାକାର ଆରାଧ୍ୟ ଦେବତା ଶନିଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି । ଶନିଙ୍କ କୃପାରୁ କୌଣସି ଚୋରି କିମ୍ବା କ୍ଷତି ହେବନାହିଁ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।
ମହାରାଷ୍ଟ୍ରର ଆଉ ଏକ ଗାଁ ରହିଛି ଯାହାର ନାଁ ହେଉଛି ସେତଫଳ, ଯେଉଁଠି ପ୍ରତ୍ୟେକ ଲୋକ ନିଜ ଘରେ ସାପ ପାଳିଥାନ୍ତି । ସାପ ଘରର ଏକ ପରିବାର ସଦସ୍ୟ ଭଳି ରହିଥାନ୍ତି । ଏହି ଗାଁ ର ଲୋମାନଙ୍କର ବିଶ୍ୱାସ ରହିଛି ଯେ ସାପ ମାନେ ସେମାନଙ୍କର କୌଣସି କ୍ଷତି କରନ୍ତି ନାହିଁ । ବିଶେଷ କରି ସାପ ମାନଙ୍କ ଗତିବିଧି ଉପରେ କୌଣସି ଅଙ୍କୁଶ ନଥାଏ ।ମହାରାଷ୍ଟ୍ରର ହିୱାର ବଜାର ଗାଁ ଭାରତର ସବୁଠାରୁ ଧନୀ ଗାଁ ଭାବରେ ପରିଚିତ । ଏହି ଗାଁ ରେ ୬୦ ଜଣ ମିଲେନିଅର ରହିଛନ୍ତି । ଗାଁ ର କୌଣସି ବ୍ୟକ୍ତି ଗରିବ ନୁହନ୍ତି । ସେଇଭଳି ଗୁଜୁରାଟର ଏକ ଗାଁ ହେଉଛି ପନସାରି । ଯେଉଁ ଗାଁର ପ୍ରତ୍ୟେକ ଘରେ ଅଛି ୱାଇଫାଇ ସୁବିଧା, ସବୁ ସ୍ଥାନରେ ଲାଗିଛି ସିସିଟିଭି, ଆଉ ସମସ୍ତ ଷ୍ଟ୍ରିଟ ଲାଇଟ ଗୁଡିକ ସୋଲାର ଶକ୍ତି ଦ୍ୱାରା ଚାଲିଛି । ସ୍ୱଚ୍ଛତା ପାଇଁ ଅନେକ ଥର ପୁରସ୍କାର ପାଇବା ସହ ଦେଶରେ ଅନେକ ସୁନାମ ଆଣିଛି ଏହି ପଂସାରୀ ଗାଁ ।
ସେହିଭଳି ଗୁଜୁରାଟର ଜମ୍ବୁର ଗାଁ ଅନ୍ୟ ଗାଁ ମାନଙ୍କ ଠାରୁ ଟିକେ ଭିନ୍ନ । ଗୁଜୁରାଟର ଜୁନାଗଡ଼ ଜିଲ୍ଲାରେ ଅବସ୍ଥିତ ଏହି ଗାଁ ରେ ରହୁଥିବା ଜନଜାତିଙ୍କୁ ସିଦ୍ଦି କୁହାଯାଏ । ଏହି ସିଦ୍ଦି ଜନଜାତି ଆଫ୍ରିକାରୁ ଆସି ଏଠାରୁ ଶହ ଶହ ବର୍ଷ ତଳୁ ରହି ଆସୁଛନ୍ତି । ଏହି ଗାଁ ରେ ଲୋକେ ଆଜିବି ଆଫ୍ରିକୀୟ ମାନଙ୍କ ଭଳି ଦେଖାଯାଆନ୍ତି । ସେଥିପାଇଁ ଏ ଗାଁ କୁ ମଧ୍ୟ ଆଫ୍ରିକାନ ଗାଁ ବୋଲି କୁହାଯାଏ ।
ରାଜସ୍ଥାନର କୁଲଧାର ଗାଁର ସ୍ୱତନ୍ତ୍ରତା ହେଉଛି ଏହା ସମ୍ପୂର୍ଣ୍ଣ ଜନଶୂନ୍ୟ, ଏହି ଗାଁ ରେ କେହିଁ ଲୋକ ରୁହନ୍ତି ନାହିଁ । ଏହି ଗାଁ ରେ ଭୂତ ପ୍ରେତ ରହୁଥିବା କୁହାଯାଏ । ସେହିପରି କେରଳର କୋଦିନୀ ଗାଁ କୁ ଯାଆଁଳାମାନଙ୍କ ଗାଁ ବୋଲି କୁହାଯାଏ, କାରଣ ଏହି ଗାଁରେ ପାଖାପାଖି ୪୦୦ ଟି ଯାଆଁଳା ପିଲା ରୁହନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଂଚଳର ସ୍ତ୍ରୀ ଲୋକମାନେ ଗାଁ ଠାରୁ ଯେତେ ଦୂରରେ ରହିଲେ ମଧ୍ୟ ସେମାନେ ଯାଆଁଳା ପିଲା ହିଁ ଜନ୍ମଦିନ କରନ୍ତି ।
କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଥିବା ମତୁର ଗାଁ ଅନ୍ୟମାନଙ୍କ ଠାରୁ ଟିକେ ନିଆରା । ଏହି ଗାଁ କୁ ସଂସ୍କୃତର ଗାଁ ବୋଲି କୁହାଯାଏ । ତୁଙ୍ଗ ନଦୀ କୂଳରେ ଅବସ୍ଥିତ ଏହି ଗାଁ ର ୧୦୦% ଲୋକେ ସଂସ୍କୃତ କୁହନ୍ତି । ବିହାରର ବରୱାନା କାଲା ଗାଁକୁ ବାଡ଼ୁଅ ଗାଁ ବା ଅବିବାହିତଙ୍କ ଗାଁ ବୋଲି କୁହାଯାଏ । କାରଣ ଏହି ଗାଁ ରେ ଆଜକୁ ୫୦ ବର୍ଷ ହେବ କେହି ବିବାହ କରିନାହାନ୍ତି । ଆଜିଯାଏ ଏହି ଗାଁ ରେ ନା ଅଛି ବିଜୁଳି, ନା ଅଛି ରାସ୍ତା, ନା ଅଛି ପାଣି କିମ୍ବା ରେଳ ଗମନାଗମନ ।
ମେଘାଳୟର ମାଲିନଙ୍ଗ ଗାଁକୁ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ, ଏହି ଗାଁ ରେ ବଡ଼ ବଡ଼ ପଥର ଖଣ୍ଡ ସବୁ ଛୋଟ ଛୋଟ ପଥର ଉପରେ ସଜେଇ ହୋଇ ରହିଥିବାରୁ ଗାଁ ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିପରି ରାଇଗଡ଼ ମହାରାଷ୍ଟ୍ରର କରଲାଈ ଗାଁରେ ପ୍ରାୟ ସମସ୍ତ ଲୋକେ ପର୍ତ୍ତୁଗୀଜ ଭାଷା କୁହନ୍ତି ।