କ୍ରମାଗତ ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ, ଟ୍ୱିଟରରେ ଟ୍ରେଣ୍ଡ ହେଲା #ComeBackRaina
Khabar Odisha:ComeBackRaina-trends-on-Twitter-after-losing-second-consecutive-match
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା):

ଗତକାଲିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 44 ରନରେ ଅତି ସହଜରେ ପରାସ୍ତ କରିଦେଇଛି ଦିଲ୍ଲୀ କ୍ୟାପିଟାଲସ୍ ଦଳ । 4 ଥର ଚାମ୍ପିୟନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିଥିବା ଚେନ୍ନାଇ ଦଳ କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ଲାଭ କରିଛି । ଗତକାଲି ମ୍ୟାଚରେ ଚେନ୍ନାଇ ଦଳର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା 176 ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ଦଳ ମାତ୍ର 131 ରନ୍‌ ହିଁ ସ୍କୋର କରିପାରିଥିଲା ।

ଚେନ୍ନାଇ ଦଳର ଏଭଳି ବ୍ୟାଟିଂ ବିଫଳତା ଏବଂ ଲଗାତାର ଦୁଇଟି ମ୍ୟାଚରେ ପରାଜୟ ପରେ ଏବେ ପ୍ରଶଂସକମାନେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଟ୍ୱିଟରରେ ଦାବି କରିବା ଆରମ୍ଭ କରିଦେଇଛନ୍ତି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସୁରେଶ ରାଇନା ଭାରତ ଫେରି ଆସିଥିଲେ । ଏହା ପରେ ସେ ଏହାକୁ ପାରିବାରିକ କାରଣ ବୋଲି କହିଥିଲେ | ରାଇନା 2008 ମସିହାରୁ ଚେନ୍ନାଇ ଦଳର ପ୍ରମୁଖ ଖେଳାଳି ଭାବେ ରହିଆସିଛନ୍ତି ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ଦଳରୁ ସେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ | ତେବେ ଚଳିତ ଆଇପିଏଲରେ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଚେନ୍ନାଇ ପ୍ରଶଂସକ ମାନେ ଟ୍ୱିଟରରେ କମ୍ ବ୍ୟାକ୍ ରାଇନା ଲେଖି ରାଇନାଙ୍କୁ ତୁରନ୍ତ ଦଳକୁ ଫେରି ଆସିବା ନେଇ ଅନୁରୋଧ କରିଛନ୍ତି । ତେବେ ଏ ନେଇ ରାଇନା କି ଚେନ୍ନାଇ ଦଳ ପକ୍ଷରୁ କୌଣସି ବିବୃତି ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

  • Tags:

Subscribe

National International State Sports Entertainment