ପୁରୀ, ଜୁଲାଇ ୦୯ (ଖବର ଓଡ଼ିଶା): ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ପୂର୍ବାହ୍ନ ସମୟର ସମସ୍ତ ନୀତିକାନ୍ତି ଶେଷ ହେଲା ପରେ ପ୍ରଭୁ ଜଗନ୍ନନାଥ, ଦେବୀ ସୁଭଦ୍ରା, ଭଗବାନ ସୁଦର୍ଶନ ଓ ବଡ଼ଭାଇ ବଳଭଦ୍ରଙ୍କୁ ତିନି ରଥରେ ଶ୍ରୀମନ୍ଦିର ଅଭିମୁଖେ ନିଆଯିବ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।
ତେବେ ମଧ୍ୟାହ୍ନ ୧୨ଟାରୁ ଶ୍ରୀଜିଉମାନଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନିଆଯିବ । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯଦି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଯାଏ, ତା’ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଓ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଯିବ । ସେହିପରି ଭଗବାନଙ୍କ କୃପା ଯଦି ମିଳେ ତା’ହେଲେ ସନ୍ଧ୍ୟା ପୂର୍ବରୁ ଶ୍ରୀମନ୍ଦିର ସାମ୍ନାରେ ଶ୍ରୀନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପହଞ୍ଚିଯିବ ।
ଶ୍ରୀମନ୍ଦିର ନୀତି ଅନୁଯାୟୀ ଆଜି ଭୋର ସକାଳ ୪ଟାରେ ମଙ୍ଗଳ ଆରତୀ, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା କରାଯାଇଥିଲା । ସେହିପରି ୫ଯା ୪୫ରୁ ୬ଟା ୪୫ ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସଂପନ୍ନ କରାଯାଇଥିଲା । ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପ୍ରବେଶ କରିଥିଲେ ।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ହୋଇଥିଲା । ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି । ତେବେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛିି । ବଡ଼ଦାଣ୍ଡରେ ଭକ୍ତଙ୍କ ଲୋକାରଣ୍ୟ ହୋଇଛି ।