ଭୁବନେଶ୍ୱର: ମୁରବୀ ହୀନ ହୋଇ ରହିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ କିଏ ହେବ ସେ ନେଇ ବିଚାର ବିମର୍ଶ ଜାରି ରହିଛି । ଖୁବ ଶୀଘ୍ର ସଭାପତି ଚୟନ ହୋଇପାରେ । ଏଥିପାଇଁ ଦଳର ବହୁ ବଡ଼ ବଡ଼ ନେତା ମନରେ ଆଶା ବାନ୍ଧି ବସିଛନ୍ତି । ଏହା ପୂର୍ବରୁ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ସ୍ଥିତି ପରଖିବାକୁ ଓଡ଼ିଶାରେ ପହଁଚିଛନ୍ତି ଜାତୀୟ ସ୍ତରର ନେତା । ଛତିଶଗଡ଼ ବିରୋଧୀ ଦଳ ନେତା ତଥା ପିସିସି ଚୟନ କମିଟି ଅଧ୍ୟକ୍ଷ ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ ଓଡ଼ିଶାରେ ପହଁଚିଛନ୍ତି । ତାଙ୍କ ପାଖରେ କାହାର ଲବି କାମ କରିବ ନାହିଁ ବୋଲି ଭୁବନେଶ୍ୱରରେ ପହଁଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଚରଣ ଦାସ ।
ରାଜ୍ୟ କଂଗ୍ରେସ ଭବନରେ ପିସିସି ସଭାପତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଅପରାହ୍ମ ଗୋଟାଏରୁ ରାତି ୧୦ଟା ଯାଏଁ ଏହି ଦୁଇ ବରିଷ୍ଠ ନେତା ବୈଠକ କରିବେ । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା ହେବ । ପ୍ରଥମ ଦିନରେ ବିଧାୟକ ଓ ସାଂସଦଙ୍କୁ ନେଇ ଆଲୋଚନା କରାଯିବ । ଆସନ୍ତାକାଲି ଜିଲ୍ଲା ସଭାପତି ଏବଂ ପ୍ରମୁଖ ନେତୃବୃନ୍ଦଙ୍କ ସହିତ ବିଚାର ବିମର୍ଶ କରିବେ । ଏହା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ଦୁଇ ନେତା ।
ଅନ୍ୟପକ୍ଷରେ ଚରଣଦାସ ମହନ୍ତ କହିଛନ୍ତି ଯେ ଓଡ଼ିଶାରେ କିପରି କଂଗ୍ରେସକୁ ମଜବୁତ କରାଯିବ ଏବଂ କିପରି ସରକାର ବନାଇବୁ ସେ ନେଇ ଆଲୋଚନା କରାଯିବ । ଯଦି କେହି ଲବି କରନ୍ତି ତେବେ ସେଥିରୁ ତାଙ୍କ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।
ପିସିସି ସଭାପତି ଦୌଡ଼ରେ ବରିଷ୍ଠ ନେତା ଭକ୍ତ ଦାସ, ମହମ୍ମଦ ମୋକିମ ଏବଂ ଶ୍ରୀକାନ୍ତ ଜେନାଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।