ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନାଙ୍କୁ ମିଳିଛି ହତ୍ୟା ଧମକ । ଜୟଦେବଙ୍କୁ ଫୋନରେ ଜଣେ ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି । ୫୦ ଲକ୍ଷ ଟଙ୍କା ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ଏ ନେଇ ଜୟଦେବ ଜେନା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।
ଜୟଦେବ ଜେନାଙ୍କ କହିବା ମୁତାବକ, ଗତ ଜାନୁୟାରୀ ୩ ତାରିଖରେ ଜଣେ ଯୁବକ ତାଙ୍କୁ ଫୋନରେ କରିଥିଲା । ୫୦ ଲକ୍ଷ ଟଙ୍କା ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛି । ପ୍ରଥମେ ସେ ୫୦ ଲକ୍ଷ ମାଗିଥିଲା ଏବଂ ପରେ ୫୦ ହଜାର ମାଗିଥିଲା । ଫୋନ କରିଥିବା ବ୍ୟକ୍ତି ଓଡ଼ିଆ ଭାଷାରେ କଥା ହେଉଥିଲା । ଏ ନେଇ ଶ୍ରୀଯୁକ୍ତ ଜେନା କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଇ-ମେଲ୍ ଜରିଆରେ ଅବଗତ କରାଇଛନ୍ତି । ତେବେ ଏ ମାମଲାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜାନୁୟାରୀ ୨୫ ତାରିଖ ରାତିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରୁ ବଡ଼ ଧରଣର ଚୋରି ହୋଇଥିଲା । ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ଲୁଟ୍ ହୋଇଥିଲା ।