ବିଜେପି ସହିତ ସଂପର୍କ ଛିନ୍ନ ! ସଂସଦରେ ବିରୋଧୀ ଦଳ ଆସନରେ ବସିବ ଶିବସେନା
Khabar Odisha:politics-odisha-shivsena-will-sit-on-opposition-benches-on-parliament
ନୂଆଦିଲ୍ଲୀ, ନଭେମ୍ବର୧୬(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ସହିତ ବିବାଦ ପରେ ଅଲଗା ରାସ୍ତା ଧରିଥିବା ଶିବସେନା ବର୍ତ୍ତମାନ ସଂସଦରେ ବିରୋଧୀ ଆସନରେ ବସିବ। ରାଜ୍ୟସଭା ସୂତ୍ରରୁ ପ୍ରକାଶ ଯେ, ସୋମବାରଠୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନରେ ଶିବସେନା ସାଂସଦ ସଞ୍ଜୟ ରାଉତ ଓ ଅନିଲ ଦେଶାଇ ବିରୋଧୀଙ୍କ ଆସନରେ ବସିବେ। କୁହାଯାଉଛି ଯେ ଶିବସେନାର ୧୮ ସାଂସଦ ମଧ୍ୟ ବିରୋଧୀ ଗୋଷ୍ଠୀରେ ବସିବେ, ଯେଉଁମାନେ ଏ ଯାଏ କ୍ଷମତା ଦଳ ଆସନରେ ବସି ଆସୁଥିଲେ। ଉଲ୍ଲେଖଯୋଗ୍ୟ, ଶିବସେନା ରାଜ୍ୟରେ ଏନସିପି ଓ କଂଗ୍ରେସ ସହିତ ମିଶି ସରକାର ଗଢ଼ିବାକୁ ଉଦ୍ୟମ ଚଳାଇଛି।  

ଶିବସେନା କିମ୍ବା ବିଜେପି ପକ୍ଷରୁ ମେଣ୍ଟ ଭାଙ୍ଗିବା ନେଇ ଔପଚାରିକ ଘୋଷଣା ହୋଇନଥିଲେ ବି ଘଟଣାକ୍ରମରୁ ଏହା ସ୍ପଷ୍ଟ ଜଣା ପଡ଼ୁଛି ଯେ, ସଂପ୍ରତି ଶିବସେନା ଏନଡିଏର ଅଂଶ ହୋଇ ରହିନାହିଁ। ରବିବାର ହେବାକୁଥିବା ଏନଡିଏର ସଂସଦୀୟ ଦଳ ବୈଠକକୁ ମଧ୍ୟ ଶିବସେନା ଯିବାକୁ ମନା କରି ଦେଇଛି। ରବିବାର ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେଙ୍କ ପୁଣ୍ୟତିଥି ମଧ୍ୟ ପଡ଼ୁଛି। ପ୍ରାୟ ତିନି ଦଶନ୍ଧି ଧରି ବିଜେପିର ସହଯୋଗୀ ରହିଥିବା ଶିବସେନା ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଫାଟ ପରେ ଅଲଗା ରାସ୍ତା ଆପଣେଇଛି।

ଏହା ମଧ୍ୟରେ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ ଶିବସେନା ବୈଚାରିକ ରୂପେ ଅଲଗା ଏନସିପି ଓ କଂଗ୍ରେସ ସହିତ ସରକାର ଗଠନ ପାଇଁ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରି ସାରିଛନ୍ତି। ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରବିବାର ହେବାକୁ ଥିବା ଏନଡିଏର ସଂସଦୀୟ ଦଳ ବୈଠକରେ ଶିବସେନାର କୌଣସି ସଦସ୍ୟ ଯିବେ ନାହିଁ ବୋଲି ସ୍ଥିର  ହୋଇଛି। ନଭେମ୍ବର ୧୧ରେ ଅରବିନ୍ଦ ସାଓ୍ଵନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶିବସେନା କେନ୍ଦ୍ରରୁ ମଧ୍ୟ ବାହାରି ଯାଇଛି। 

ଖବର ଏହା ମଧ୍ୟ ରହିଛି ଯେ, ଶିବସେନା ସହିତ ସରକାର ଗଢ଼ିବାକୁ ସମ୍ମତି ଜଣାଇଥିବା ଏନସିପି ଓ କଂଗ୍ରେସ ଉଦ୍ଧବ ଠାକରେଙ୍କୁ ହିଁ ମହାରାଷ୍ଟ୍ରରେ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

Subscribe

National International State Sports Entertainment