ମହାରାଷ୍ଟ୍ର ପରୀକ୍ଷାରେ ଉଦ୍ଧବ ପାସ୍, ମିଳିଲା ୧୬୯ ଭୋଟ୍, ବିଜେପିର କକ୍ଷ ତ୍ୟାଗ
Khabar Odisha:politics-odisha-maharashtra-uddhav-thackerya-government-clears-floor-test
ମୁମ୍ଵାଇ, ନଭେମ୍ବର୩୦(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ ବହୁମତ ପ୍ରମାଣିତ କରିଛନ୍ତି। ଠାକରେ ସରକାରଙ୍କୁ ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାର ଆସ୍ଥା ଭୋଟରେ ୧୬୯ ବିଧାୟକ ସମର୍ଥନ ଦେଇଥିବା ବେଳେ ୪ ବିଧାୟକ କୌଣସି ପକ୍ଷରେ ଭୋଟ୍ ଦେଇ ନାହାନ୍ତି। ଏହି ସମୟରେ ବିଜେପି କକ୍ଷ ତ୍ୟାଗ କରିଛି।  ଏଥିପାଇଁ ମତଦାନ ସମୟରେ ସରକାର ପକ୍ଷରେ ଗୋଟିଏ ହେଲେ ଭୋଟ୍ ପଡ଼ିନାହିଁ। କଂଗ୍ରେସ ନେତା ଅଶୋକ ଚହ୍ଵାଣ ଉଦ୍ଧବ ଠାକରେଙ୍କ ସରକାର ପାଇଁ ଗୃହରେ ଆସ୍ଥା ଭୋଟର ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ଏନସିପିର ବିଧାୟକ ନଓ୍ଵାବ ମଲିକ ଓ ଶିବସେନାର ସୁନିଲ ପ୍ରଭୁ ଅନୁମୋଦନ କରିଥିଲେ। ଆସ୍ଥା ଭୋଟ୍ ପ୍ରସ୍ତାବ ଆଧାରରେ ପ୍ରଥମେ ସମସ୍ତ ସଦସ୍ୟଙ୍କ ମତାମତ ନିଆଯାଇ ସେମାନଙ୍କର ଗଣତି ମଧ୍ୟ କରାଯାଇଥିଲା।

ଏହି ସମୟରେ  ବିଜେପି ବିଧାୟକ ଅଧିବେଶନ ନିୟମ ଅନୁଯାୟୀ ଡକାଯାଇ ନଥିବା ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ। କକ୍ଷ ତ୍ୟାଗ ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ କହିଛନ୍ତି ଯେ, କାମଚଳା ବାଚସ୍ପତିଙ୍କ ନିଯୁକ୍ତି ଭୁଲ ପ୍ରକ୍ରିୟାରେ କରାଯାଇଛି। ଏହା ବ୍ୟତୀତ ମନ୍ତ୍ରୀମାନେ ଯେଉଁଭଳି ଶପଥ ନେଲେ ତାହା ମଧ୍ୟ ଭୁଲ ଥିଲା। କିଏ ସୋନିଆ ଗାନ୍ଧୀ ତ କିଏ ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଲେ, ଯାହା ଭୁଲ ଅଟେ।

ସେ କହିଛନ୍ତି ଯେ, ଆସ୍ଥା ଭୋଟ୍ ନିୟମିତ ବାଚସ୍ପତି ସ୍ଥିର କରିବା ପରେ ଯାଇ ହୋଇଥାଏ, ମାତ୍ର ଏହି ସରକାର ଭୟ କାରଣରୁ ତରବରିଆ ଭାବେ ଏମିତି କରିଛନ୍ତି।  ଫଡ଼ଣବିସ କହିଛନ୍ତି ଯେ, ଏହି ସମ୍ବନ୍ଧରେ ଆମେ ରାଜ୍ୟପାଳଙ୍କୁ ଚିଠି ଦେବୁ ଏବଂ ଗୃହକାର୍ୟ୍ୟ  ବାତିଲ କରିବାକୁ ଦାବି କରିବୁ।

ଏମଏନଏସ ଦେଲା ନାହିଁ ସରକାରଙ୍କ ପକ୍ଷରେ ଭୋଟ୍

ଆସ୍ଥା ଭୋଟ୍ ସମୟରେ ରାଜଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା ସରକାରଙ୍କ ପକ୍ଷରେ ମତଦାନ ଦେଇନାହାନ୍ତି। ଏହା ବ୍ୟତୀତ  ତିନି ଅନ୍ୟ ବିଧାୟକ ମଧ୍ୟ କୌଣସି ପକ୍ଷରେ ଭୋଟ୍ ଦେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ, ରାଜଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କକା ପୁଅ ଭାଇ। ତେଣୁ ଏମିତି ସ୍ଥିତିରେ ତାଙ୍କର ପାର୍ଟି ଉଦ୍ଧବଙ୍କୁ ସମର୍ଥନ ନଦେବା ଆଲୋଚ୍ୟର ବିଷୟ। 

ଉଲ୍ଲେଖଯୋଗ୍ୟ, ସରକାର ଗଠନ ନେଇ ମାସେ କାଳ ଚାଲିଥିବା ନାଟକର ପରିସମାପ୍ତି ପରେ ନଭେମ୍ବର ୨୮ରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଠାକରେ ପରିବାରରୁ ଉଦ୍ଧବ ପ୍ରଥମ ବ୍ୟକ୍ତି ଭାବେ ରାଜ୍ୟର ମଙ୍ଗ ଧରିଛନ୍ତି।

Subscribe

National International State Sports Entertainment