ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ, ସରକାର ଗଠନ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ମେ ୯ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଦିବସରେ ହେବ ଶପଥ ଗ୍ରହଣ ଉତ୍ସବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ।
ଦୀର୍ଘ ୧୫ ବର୍ଷ ଧରି ଶାସନରେ ରହିବା ପରେ ଶେଷରେ ମଉଳି ଯାଇଛି ମମତା ବାନାର୍ଜୀଙ୍କ ଚତୁର୍ଥ ଥର ସିଂହାସନ ଦଖଲର ସ୍ୱପ୍ନ। ମୋଦିଙ୍କ ମ୍ୟାଜିକ୍, ଆଉ ଶାହା ସଫଳ ରଣନୀତିରୁ ପଶ୍ଚିମବଙ୍ଗରେ ପତ୍ତନ ହୋଇଛି ‘ଦିଦି’ ରାଜ୍। କଡ଼ା ମୁକାବିଲାରେ ଶାସକ ଟିଏମସି ୮୩ ଆସନରେ ସୀମିତ ରହିଥିବା ବେଳେ ବିଜେପି ୨୦୪ ଆସନ ହାତେଇବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର ହୋଇଉଠିଛି।
୧୫ ବର୍ଷ ପରେ କ୍ଷମତା ପରିବର୍ତ୍ତନ ହୋଇ ପଶ୍ଚିମବଙ୍ଗରେ ଫୁଟିଛି ପଦ୍ମ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୦୪ ଆସନରେ ଆଗୁଆ ରହିଛି । ମ୍ୟାଜିକ ନମ୍ବର ୧୪୮କୁ ସହଜରେ ଅତିକ୍ରମ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଯାଉଛି। ପ୍ରାୟ ଦେଢ ଦଶନ୍ଧି ପରେ ଚଳିତ ନିର୍ବାଚନର ଫଳାଫଳ ଦିଦିଙ୍କୁ ଶକ୍ତ ଧକ୍କା ଦେଇଛି।
ବିଜେପି ଜିତିବା ପରେ ଏବେ କାହାକୁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏମିତି ଦେଖିଲେ ବିଜେପି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥାଏ। ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ବଡ଼ ଶକ୍ତି। ରାଜ୍ୟରେ ପ୍ରଚାର ଲାଗି ସେ ୨୦ରୁ ଅଧିକ ଜନସଭା କରିଥିଲେ।
ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୬ ଜଣ ପ୍ରମୁଖ ନେତାଙ୍କ ନାମ ସାମ୍ନାକୁ ଆସୁଛି। ସବୁଠୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢ଼ି ଜିତିଛନ୍ତି। ଦଳର ପ୍ରଚାର ଅଭିଯାନରେ ସେ ଆଗ ଧାଡ଼ିରେ ଥିଲେ। ତାଙ୍କ ପଛକୁ ଦିଲୀପ ଘୋଷଙ୍କ ନାମ ଆସୁଛି। ୨୦୨୧ରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ବନାଇବାର ଶ୍ରେୟ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଦିଲୀପଙ୍କୁ ଦିଆଯାଏ। ଏବେ ସେ ଅଧ୍ୟକ୍ଷ ନାହାନ୍ତି, କିନ୍ତୁ ବେଙ୍ଗଲ ରାଜନୀତିରେ ତାଙ୍କ ପ୍ରଭାବ ଆଜି ବି କାଏମ ରହିଛି। ଏଭଳି ସ୍ଥିତିରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କୁ ଜଣେ ମଜଭୁତ ବିକଳ୍ପ ଭାବେ ଦେଖାଯାଏ। ବେଙ୍ଗଲ ବିଜେପିର ଅଧ୍ୟକ୍ଷ ସମୀକ ଭଟ୍ଟାଚାର୍ଯ୍ୟଙ୍କୁ ଦଳ କମାଣ ଦେଇପାରେ।
ଏହାଛଡ଼ା ବିଜେପି କୌଣସି ମହିଳା ନେତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଉପରେ ବିଚାର କରିପାରେ। ପେସାରେ ଫ୍ୟାସନ ଡିଜାଇନର ଅଗ୍ନିମିତ୍ରା ପଲ୍ଙ୍କ ନାମ ଏଥିରେ ସବା ଉପରେ ରହିଛି। ତାଙ୍କ ପଛକୁ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ତଥା ସୋନାରପୁର ଦକ୍ଷିଣରୁ ବିଧାୟକ ରୁପା ଗାଙ୍ଗୁଲିଙ୍କ ନାମ ଆସୁଛି। ତେବେ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଉଛି, ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଦୌଡ଼ରେ ଶୁଭେନ୍ଦୁ ଅଧିକାରୀ ସମେତ ଏହି ନାମ