କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ ଆସିଛି । ୧୫ ବର୍ଷର ସରକାରକୁ ହରାଇ କ୍ଷମତାକୁ ଆସିଛି ବିଜେପି । ଏବେ କାହାକୁ ଦଳ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମୋଟ ଚାରୋଟି ନାମ ଚର୍ଚ୍ଚାରେ ଥିବାବେଳେ ସବୁଠାରୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ଯିଏ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ରମାଗତ ଦୁଇ ଥର ହରାଇ ବାଃ ବାଃ ସାଉଁଟୁଛନ୍ତି । ଚଳିତ ନିର୍ବାଚନରେ ମମତାଙ୍କୁ ୧୫ ହଜାର ୧୦୫ଟି ଭୋଟ୍ ବ୍ୟବଧାନରେ ଧୂଳି ଚଟାଇଥିଲେ ଶୁଭେନ୍ଦୁ । ତେବେ ଆସନ୍ତୁ ଜାଣିବାକୁ ଶୁଭେନ୍ଦୁଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ରାଜନୈତିକ ଜୀବନ କଣ ରହିଛି ।
ଯଦି ପ୍ରଥମେ ଶୁଭେନ୍ଦୁଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆଲୋଚନା କରିବା ରାଜନୀତି ଭଳି ପାଠପଢ଼ାରେ ମଧ୍ୟ ଜଣେ ଉଚ୍ଚ ପ୍ରଦର୍ଶନକାରୀ ଛାତ୍ର ଥିଲେ । ସେ ମେଦିନୀପୁରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଛନ୍ତି । ୧୯୮୭ରେ କାନ୍ଥୀ ମଡେଲ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପଢ଼ିଛନ୍ତି । ସେହିପରି ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ପି.କେ କଲେଜରେ ସ୍ନାତକ ହାସଲ କରିଥିଲେ । ଏହା ପରେ କୋଲକାତାର ପ୍ରତିଷ୍ଠିତ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରେ ଏମଏରେ ଡିଗ୍ରୀ ହାସଲ କରିଥିଲେ ।
କଂଗ୍ରେସରୁ ରାଜନୀତି ଆରମ୍ଭ...
୧୯୯୫ରେ ଶୁଭେନ୍ଦ୍ର ଅଧିକାରୀ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କାନ୍ଥୀ ପୌର ପରିଷଦ ନିର୍ବାଚନ ଲଢ଼ିଥିଲେ । ୧୯୯୫ରୁ ୧୯୯୮ ପର୍ୟ୍ୟନ୍ତ ସ କଂଗ୍ରେସ ସହିତ କାମ କରିଥିଲେ । ପରେ ୧୯୯୮ରୁ ୨୦୨୦ ଯାଏ ସେ ତୃଣମୂଳ କଂଗ୍ରେସ ସହିତ ରହିଥିଲେ । ୨୦୦୬ରେ କାନ୍ଥୀ ଦକ୍ଷିଣ ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ । ଏହା ସହିତ ସେ କାନ୍ଥୀ ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ୨୦୦୭ରେ ନନ୍ଦିଗ୍ରାମରେ ଭୂମି ଉଚ୍ଛେଦ ପ୍ରତିରୋଧ କମିଟିର ନେତୃତ୍ୱ ନେଇଥିଲେ । ସେତେବେଳେ ପଶ୍ଚିମବଙ୍ଗର ବାମର ଦଳର ଶାସନ ଚାଲୁଥିଲା । ଏହା ପରେ ତୃଣମୂଳ କଂଗ୍ରେସକୁ ଆସିଥିଲେ । ୨୦୦୯ରେ ତମଲୁକ ଆସନରୁ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୯ ଏବଂ ୨୦୧୪ରେ ଦୁଇ ଦୁଇ ଥର ଲୋକସଭା ସାଂସଦ ରହିସାରିଛନ୍ତି ।
୬ ବର୍ଷ ତଳେ ଆସିଛନ୍ତି ବିଜେପିକୁ
ଏହା ପରେ ମମତା ବାନାର୍ଜୀଙ୍କ ତାଙ୍କୁ ଲୋକସଭାରୁ ଆଣି ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିଲେ । ୨୦୧୬ରୁ ୨୦୨୦ ଯାଏ ମମତା ସରକାରରେ ସେ ରାଜ୍ୟ ପରିବହନ ମନ୍ତ୍ରୀ ଏବଂ ଜଳ ସମ୍ପଦ ମନ୍ତ୍ରୀ ହୋଇଥିଲେ । ୧୬ ଡିସେମ୍ବର, ୨୦୨୦ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଠିକ୍ ତାର ପରଦିନ ୧୭ ଡିସେମ୍ବରରେ ତୃଣମୂଳ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟରୁ ଇସ୍ତଫା ଦେଇଥିଲେ ।
ଏହିଠାରୁ ତାଙ୍କର ବିଜେପି ଯାତ୍ରା ଆରମ୍ଭ ହୋଇଥିଲା । ୧୯ ଡିସେମ୍ବର ୨୦୨୦ରେ ସେ ବିଜେପିରେ ସାମିଲ ହୋଇଥିଲେ । ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହିତ ମତଭେଦ ପାଇଁ ସେ ଟିଏମସି ଛାଡ଼ି ବିଜେପିର ଯୋଗ ଦେଇଥିବା ଚର୍ଚ୍ଚା ହୋଇଥିଲା ।
୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢ଼ି ତାଙ୍କର ପୂର୍ବତନ ମୁଖିଆ ମମତା ବାନାର୍ଜୀଙ୍କୁ ୧୯୫୬ ଭୋଟରେ ପରାସ୍ତ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ମମତା ବାନାର୍ଜୀଙ୍କୁ ଭବାନୀପୁରରେ ପ୍ରତିନ୍ଦ୍ୱନ୍ଦିତା କରି ହରାଇଛନ୍ତି ଶୁଭେନ୍ଦୁ ।
ତେବେ ଶୁଭେନ୍ଦୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଏତେ ସହଜ ହୋଇନପାରେ । କାରଣ ଶୁଭେନ୍ଦୁଙ୍କ ଆଗରେ ବିଜେପିର ପୁରୁଖା ନେତାମାନେ ରହିଛନ୍ତି । ଯେଉଁମାନେ ବର୍ଷ ବର୍ଷ ଧରି ବିଜେପି ସଂଗଠନ ସହିତ ରହିଛନ୍ତି । ସେମାନେ ହେଲେ ପୂର୍ବତନ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ, ପଶ୍ଚିମବଙ୍ଗ ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ୟ୍ୟ, ଅଗ୍ନିମିତ୍ର ପାଲ ଏବଂ ରୂପା ଗାଙ୍ଗୁଲି ।