ନୂଆଦିଲ୍ଲୀ: ଶନିବାର ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଗୁରୁଗ୍ରାମଠୁ ନେଇ ଯମୁନାନଗର ପର୍ଯ୍ୟନ୍ତ ସମସ୍ତ ଭାଗରେ ଭୋଟିଂ ପାଇଁ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଏକ ରୋଚକ କଥା ଦେଖିବାକୁ ମିଳିଛି । ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲ ଘୋଡ଼ାରେ ବସି ମତଦାନ କେନ୍ଦ୍ରକୁ ଯାଇଛନ୍ତି । ଯାହାର ଫଟୋ ଏବଂ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି ।
କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ତଥା ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟର ଅଧ୍ୟକ୍ଷ ନବୀନ ଜିନ୍ଦଲ ଆଜି ହରିୟାଣା ବିଧାନସଭା ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେ ନିଜ ଘୋଡ଼ାରେ ଆସି ମତଦାନ ଦାନ କେନ୍ଦ୍ରରେ ପହଁଚିଥିଲେ । ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେ ଏହି ମହାନ ଗଣତାନ୍ତ୍ରିକ ପର୍ବରେ ସାମିଲ ହୋଇ ନିଜ ମତଦାନ କରିବାକୁ ଅନୁରୋଧ କରିଛନ୍ତି ।
କୁରୁକ୍ଷେତ୍ରରୁ ୩ ଥର ସାଂସଦ ହୋଇଥିବା ନବୀନ ଜିନ୍ଦଲ ପୂର୍ବରୁ କଂଗ୍ରେସରେ ଥିଲେ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।
ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ସଂପନ୍ନ ହୋଇଛି । ଅକ୍ଟୋବର ୮ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭୋଟିଂ ସରିବା ପରେ ଆଜି ସନ୍ଧ୍ୟାରେ ଦୁଇଟି ରାଜ୍ୟର ଏକଜିଟ୍ ପୋଲ୍ ପ୍ରକାଶ ପାଇବ । ହରିୟାଣାରେ ମତଦାନ ସରିବା ପରେ ସନ୍ଧ୍ୟା ୭ଟାରେ ଏକଜିଟ୍ ପୋଲର ସିଧା ପ୍ରସାରଣ କରାଯାଇ ପାରିବ । ଏଥିପାଇଁ ସର୍ଭେ ଏଜେନ୍ସି ନିଜର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି । ଦେଶର ବିଭିନ୍ନ ନ୍ୟୁଜ ଚ୍ୟାନେଲ ଓ ନ୍ୟୁଜ ୱେବସାଇଟରେ ଏହାର ଫଳାଫଳ ପ୍ରକାଶ ପାଇବ ।