ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ଆସନରେ ବସିଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ସଭାପତି ପଦ ପାଇଁ ମନମୋହନଙ୍କ ନାମକୁ ଆନୁଷ୍ଠାନିକଭାବେ ବିଜୟୀ ଘୋଷଣା କରିଛନ୍ତି । ସର୍ବାଧିକ ଚତୁର୍ଥ ଥର ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି । ମନମୋହନ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୨୦୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ଏହା ସହିତ ଜୟସୱାଲ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି । ଏହି ସମୟରେ ଦଳୀୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ସାଂସଦ ବୈଜୟନ୍ତ ପଣ୍ଡା, ବିଜେପି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ, ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର, ଲତା ହୁସେଣ୍ଡି ଓ ଦଳର ଜାତୀୟ ମୁଖପାତ୍ର ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ଓଡ଼ିଶାର ବିଜେପି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।
ମନମୋହନଙ୍କ ରାଜନୈତିକ ଜୀବନ
୧୯୫୯ ମସିହା ଏପ୍ରିଲ ୧୫ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜନ୍ମ ଗ୍ରହଣ କରିଥିଲେ ମନମୋହନ ସାମଲ । ତାଙ୍କ ରାଜନୈତିକ ଜୀବନ ବହୁତ ଲମ୍ବା ଅଟେ । ୪ ଥର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ସହ ରାଜ୍ୟସଭା ସାଂସଦ ଏବଂ ମନ୍ତ୍ରୀ ରହିସାରିଛନ୍ତି । ଆରମ୍ଭରୁ ହିଁ ସେ ବିଜେପି ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଅଛନ୍ତି । ଛାତ୍ର ଜୀବନରୁ ସେ ରାଜନୀତିରେ ପାଦ ଥାପିଥିଲେ । ତୃଣମୂଳ ସ୍ତରରୁ ହିଁ ସେ ଦଳର ବିଭିନ୍ନ ପଦପଦବୀରେ ରହିଆସିଛନ୍ତି । ୧୯୭୮-୭୯ ମସିହାରେ ଭଦ୍ରକ କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ହୋଇ ସଭାପତି ହୋଇଥିଲେ । ୧୯୭୯-୮୧ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ରାଜ୍ୟ ସମ୍ପାଦକ, ୧୯୮୨-୮୨ରେ ଏବିଭିପି ରାଜ୍ୟ ଉପସଭାପତି, ୧୯୮୩ରେ ଧାମନଗର ନିର୍ବାଚନ ମଣ୍ଡଳୀର ସଭାପତି ଏବଂ ୧୯୮୪ରେ ବାଲେଶ୍ୱର ଜିଲ୍ଲା ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।
ଏହା ପରେ ତାଙ୍କର କାର୍ଯ୍ୟ ଏବଂ ନେତୃତ୍ୱ ନେବାର ଦକ୍ଷତାକୁ ଦେଖି ଦଳ ରାଜ୍ୟ ସ୍ତରରେ ବିଭିନ୍ନ ଦାୟିତ୍ୱ ହସ୍ତାନ୍ତର କରିଛି । ୧୯୯୦ ରୁ ୯୨ ଯାଏଁ ସେ ରାଜ୍ୟ ସମ୍ପାଦକ ଏବଂ ୧୯୯୨ରୁ ୯୯ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ସେ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ୧୯୯୯-୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ସଭାପତି ଆସନରେ ବସିଥିଲେ । ଏହାପରେ ୨୦୦୦-୨୦୦୪ ଯାଏଁ ସେ ପ୍ରଥମଥର ରାଜ୍ୟ ବିଜେପି ସଭାପତି ହୋଇଥିଲେ । ଏହି ସମୟରେ ବିଜେଡ଼ି-ବିଜେପି ମେଣ୍ଟ ହୋଇଥିଲା । ସେତେବେଳେ ଓଡ଼ିଶାରେ ମେଣ୍ଟ ସରକାର ଶାସନ କରିଥିଲା । ୨୦୦୦ ମସିହାରେ ମନମୋହନ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଭଦ୍ରକ ଧାମନଗର ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ । ସେ ରାଜସ୍ୱ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୨୩ ମାର୍ଚ୍ଚ ୨୪ରେ ସମୀର ମହାନ୍ତିଙ୍କ ପରେ ମନମୋହନ ତୃତୀୟ ଥର ପାଇଁ ସଭାପତି ପଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମନମୋହନଙ୍କ ନେତୃତ୍ୱରେ ୨୪ ବର୍ଷର ବିଜେଡ଼ି ସରକାରକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା । ଯାହାକି ଦଳ ପାଇଁ ଏକ ବଡ଼ ସଫଳତା ଥିଲା ।
ମନମୋହନଙ୍କ ସାମ୍ନାରେ ପଞ୍ଚାୟତ ନିର୍ବାଚନ
ମନମୋହନ ପାଇଁ ଆଗକୁ ବଡ଼ କଠିନ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ । ତାଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନରେ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଥିଲା । ତେଣୁ ମନମୋହନଙ୍କ କାନ୍ଧରେ ଏବେ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଭଳି ଗୁରୁ ଦାୟିତ୍ୱ ରହିଛି । ସାଧାରଣ ନିର୍ବାଚନରେ ଆଶାତୀତ ସଫଳତା ପରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପୁଣି ଥରେ ମନମୋହନଙ୍କ ଉପରେ ଭରସା କରିଛି । କାରଣ ବିଜୁ ଜନତା ଦଳ ଶାସନରୁ ଚାଲିଯାଇଥିବାବେଳେ ଶାସକ ଦଳ ସମ୍ମୁଖରେ ଏକ ଦୃଢ଼ ପ୍ରତିଦ୍ୱନ୍ଦୀ ହୋଇ ଏବେବି ଛିଡ଼ା ହୋଇଛି । ସେପଟେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟ ଧିରେ ଧିରେ ଫର୍ମକୁ ଫେରିବାକୁ ଚେଷ୍ଟା ଜାରି ରଖିଛି । କିନ୍ତୁ ମନମୋହନ ପୁଣି ଥରେ ଦଳର ମନ ମୋହିବେ ବୋଲି ସମସ୍ତଙ୍କର ଆଶା ଓ ଭରସା ରହିଛି ।