ଝାରସୁଗୁଡ଼ା: ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କର ପରଲୋକ ଘଟିଛି । ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ହୋଇଥିଲା ।
ମକରଧ୍ୱଜ ପ୍ରଧାନ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ଶୁକ୍ରବାର ସେ ଦେହ ତ୍ୟାଗ କରିଛନ୍ତି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡ଼ପୁଅ କମଳ ପ୍ରଧାନ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଶ୍ରୀଯୁକ୍ତ ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ । ସ୍ୱାଧୀନତା ସମସରେ ସେ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ରହିଥିଲେ । ଏହା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ପ୍ରଜା ସୋସାଲିଷ୍ଟ ଦଳରୁ ପଶ୍ଚିମ ଓଡ଼ିଶାର ଏକମାତ୍ର ପ୍ରଥମ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ମକର ଧ୍ୱଜ । ସେ ୧୯୫୨ ମସିହା ମାର୍ଚ୍ଚ ୨୭ରେ ସୋସିଆଲିଷ୍ଟ ପାର୍ଟିରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା-ମୁରା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ । କାର୍ଯ୍ୟକାଳ ଶେଷ ହେବା ପରେ ୧୯୫୭ ମସିହାର ପୁଣି ଥରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ ଏଥିରେ ପରାଜୟ ବରଣ କରିଥିଲେ । ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇ ସେ ୩ ହଜାର ୫୦ ଖଣ୍ଡ ଭୋଟ ପାଇଥିଲେ ।
ମକରଧ୍ୱଜଙ୍କ ପୈତୃକ ଘର ରମ୍ପାଲୁଗା ଓ ବାଘମୁଣ୍ଡାରେ ଥିଲା । ରମ୍ପାଲୁଗା ଗାଁ ହୀରାକୁଦ ନଦୀବନ୍ଧ ଯୋଗୁଁ ବୁଡ଼ିଯିବାରୁ ସେ ଆସି ବାଘମୁଣ୍ଡା ଗାଁରେ ରହିଥିଲେ । ଗତ ବର୍ଷ ଜାନୁଆରୀରେ ସେ ଶହେ ବର୍ଷ ବୟସରେ ପଦାର୍ପଣ କରିଥିଲେ । ତାଙ୍କର ପରିବାରରେ ୫ ପୁଅ ଓ ୬ ଝିଅ ରହିଛନ୍ତି ।