ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ରାଷ୍ଟ୍ରପତି ଲେଖିଛନ୍ତି, ଦେଶବିଦେଶରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଗଣଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଅଛି। ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି। ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ। ଏହି ଶୁଭ ଅବସରରେ ଦେଶ ଓ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି।
ସେହିପରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ପର୍ବ ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଉଜ୍ଜ୍ୱଳ ଉଦାହରଣ। ରଥଯାତ୍ରା ସହିତ ଜଡ଼ିତ ପରମ୍ପରା ଭାରତ ଏବଂ ବିଶ୍ୱର ପିଢ଼ିକୁ ପ୍ରେରଣା ଦେଇଛି। ଏଥିରେ ନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସ୍ୱାର୍ଥପର ସେବାର ଅବତାରଣା ରହିଛି। ମହାପ୍ରଭୂ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ। ସେ ଆମକୁ ଆମର ସମସ୍ତ ପ୍ରୟାସ ପାଇଁ ଶକ୍ତି ଦିଅନ୍ତୁ ଏବଂ ଆମ ସମାଜରେ ଏକତାର ଭାବନାକୁ ଆହୁରି ଗଭୀର କରନ୍ତୁ।
ଅଧିକ ପଢ଼ନ୍ତୁ: ଆଜିଠୁ ବିଶ୍ବନିୟନ୍ତାଙ୍କ ନବଦିନାତ୍ମକ ଘୋଷଯାତ୍ରା