ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରିବା ଏବଂ କୋର୍ଟରୁମରେ ହଙ୍ଗାମା କରିବା ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇ ଆଇନ ଛାତ୍ରଙ୍କୁ ଗିରଫ କରାଯାଇଛି। ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।
ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଆଇନ ଛାତ୍ର ପ୍ରବଲ ପ୍ରତାପ ସିଂହ (୨୪) ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଆଇନ ଛାତ୍ର ଚନ୍ଦ୍ର ଭାନ (୨୩)ଙ୍କୁ ଗିରଫ କରାଯାଇଛି। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସମେତ ବିଭିନ୍ନ ଧାରା ଅନୁଯାୟୀ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ପରେ ମଙ୍ଗଳବାର ରାତିରେ ସେମାନଙ୍କୁ ଗିରଫ କରାଯାଇଥିଲା।
ଉଲ୍ଲେଖନୀୟ ଯେ ସୁପ୍ରିମକୋର୍ଟ ସୁରକ୍ଷା କର୍ମଚାରୀଙ୍କ ବୟାନ ଆଧାରରେ ତିଲକ ମାର୍ଗ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଥିଲା। ଏହି ଘଟଣା ଜୁଲାଇ ୧୦ ତାରିଖରେ ସୁପ୍ରିମକୋର୍ଟର କୋର୍ଟ ନମ୍ବର ୧୩ରେ ଏସ୍ଏସ୍ପି ନମ୍ବର ୩୧୩୬୭/୨୦୨୬ (ପ୍ରବଲ ପ୍ରତାପ ଏବଂ ଅନ୍ୟମାନେ ବନାମ ଉତ୍ତର ପ୍ରଦେଶ ରାଜ୍ୟ) ର ଶୁଣାଣି ସମୟରେ ଘଟିଥିଲା।
ପ୍ରବଳ ପ୍ରତାପ ସିଂହ ଯାଦବ ନିଜ ମାମଲା ନିଜେ ଯୁକ୍ତି କରୁଥିଲେ। ଶୁଣାଣି ସମୟରେ ସେ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ସେ ସିଜେଆଇଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏବଂ ଖଣ୍ଡପୀଠ ଉପରକୁ କାଗଜ ଫିଙ୍ଗିଥିଲେ, ଯାହା ଫଳରେ କିଛି ସମୟ ପାଇଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଅଧିକ ପଢ଼ନ୍ତୁ: ସରକାରଙ୍କ ଉପରେ ନିଷ୍ପତ୍ତି ନ୍ୟସ୍ତ କଲେ ସୁପ୍ରିମକୋର୍ଟ