ନୂଆଦିଲ୍ଲୀ: ସିପିଆଇଏମ ନେତା ତଥା ପୂର୍ବତନ ସାଂସଦଙ୍କ ପାର୍ଥିବ ଶରୀରଙ୍କୁ ତାଙ୍କ ପରିବାର ଦାନ କରିଦେଇଛି । ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନକୁ ସୀତରାମଙ୍କ ଶରୀରକୁ ଦାନ କରିବାକୁ ପରିବାର ନିଷ୍ପତି ନେଇଛି । ଫଳରେ ସୀତାରାମଙ୍କ ଶରୀର ମେଡ଼ିକାଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଏବଂ ଗବେଷଣାରେ ବ୍ୟବହାର କରାଯିବ । ଏ ନେଇ ଏମସ୍ ପକ୍ଷରୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
ଗତକାଲି ସୀତାରାମ ୟେଚୁରୀଙ୍କର ପରଲୋକ ହୋଇଥିଲା । ଏମସ ଚିକିସ୍ଚାଧୀନ ଅବସ୍ଥାରେ ୭୨ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି । ସେ ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ସେଠାରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି । ସୀତାରାମଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନେତାମାନେ ଶୋକ ପ୍ରକାଶ କରିଥିଲେ ।
୧୯୫୨ ମସିହା ଅଗଷ୍ଟ ୧୨ରେ ଜନ୍ମିତ ସୀତାରାମ ୟେଚୁରୀ ଜଣେ ଦକ୍ଷ ରାଜନେତା ହିସାବରେ ବେଶ ଲୋକ ପ୍ରିୟ ଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ପାଦ ଥାପିଥିଲେ । ସେ ୧୯୭୪ ମସିହରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ୧୯୭୫ ଜରୁରୀକାଳୀନ ସମୟରେ ସେ ଜେଲ ମଧ୍ୟ ଯାଇଛନ୍ତି । ସେତେବେଳେ ସେ ଦିଲ୍ଲୀ ଜେଏନୟୁରେ ଅର୍ଥନୀତିରେ ପିଏଚଡି କରୁଥିଲେ। ଗିରଫ ହେବାରୁ ତାଙ୍କ ପିଏଚଡି ପାଠପଢ଼ା ଅଧାରେ ରହି ଯାଇଥିଲା। ଏହା ପରେ ସେ ୩ ଥର ଜେଏନୟୁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୫ରୁ ୨୦୧୫ ମଧ୍ୟରେ ସେ ପଶ୍ଚିମବଙ୍ଗରୁ ରାଜ୍ୟସଭା ସାଂସଦ ହୋଇଛନ୍ତି ।