ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ବିଜେପି, ଶିବସେନା, ଏନସିପି ଏବଂ କଂଗ୍ରେସ ଭଳି ପ୍ରମୁଖ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପିତା ବାଲା ସାହେବ ଠାକରେଙ୍କ ନୀତି ବାଣୀକୁ ପାଶୋରି ଦେଇଛନ୍ତି ତାହାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । କଂଗ୍ରେସକୁ ସବୁବେଳେ ଦୂରରେ ରଖିବାକୁ ବାଲା ସାହେବ ପରାମର୍ଶ ଦେଉଥିଲେ ବୋଲି କହିଛନ୍ତି ଏକନାଥ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, “ଯେତେବେଳେ ରାଜ୍ୟରେ ମହା ବିକାଶ ଅଘାଡ଼ିର ସରକାର ଥିଲା, ସେଥିରେ ମୁଁ ମଧ୍ୟ ଥିଲି । କିନ୍ତୁ ସେ ସରକାର ବାଲା ସାହେବ ଠାକରେଙ୍କ ବିଚାରର ବିରୋଧରେ ଥିଲା । ମୁଁ ଉଦ୍ଧବ ଠାକରେଙ୍କୁ ବହୁତ ବୁଝାଇଲି, କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ସହିତ ମେଣ୍ଟ କଲେ”।
ସେ ଆହୁରି କହିଛନ୍ତି, “ବାଲା ସାହେବ ଠାକରେ କହୁଥିଲେ କି କଂଗ୍ରେସକୁ ଦୂରରେ ରଖ”। ଆମ ଦଳକୁ କ୍ଷତି ହୋଇପାରେ । ଆମ ଦଳ ଶେଷ ହେବାକୁ ଲାଗିଲା, ସେଥିପାଇଁ ମୁଁ ସରକାର ବଦଳାଇ ଦେଲି, ବିଜେପି ସହିତ ମେଣ୍ଟ କରି ସରକାର ଗଢ଼ିଲୁ । ଗତ ଦୁଇ ବର୍ଷ ହେବ ଆମେ ଜନତାଙ୍କ ପାଇଁ କାମ କରିଛୁ” ।
ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ସେ ବଡ଼ ବୟାନ ଦେଇଛନ୍ତି ଯେ କାନୁନ ବ୍ୟବସ୍ଥା ବଜାୟ ରଖିବା ସରକାରଙ୍କ ଦାୟିତ୍ୱ । ଘଟଣାଟି ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଘଟଣାରେ ଅନେକ ଅଭିଯୁକ୍ତ ସାମିଲ ଥିଲେ । କେତେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ସରକାର ଏବଂ ଗୃହ ବିଭାଗ ତାର ମୂଳ ପର୍ଯ୍ୟନ୍ତ ଯିବ । ଏଥିରେ ସମ୍ପୃକ୍ତି ଥିବା କୌଣସି ବି ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି ।