ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟିକୁ ଖବୁ ଶୀଘ୍ର ତାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବାକୁ ଯାଉଛି । ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଧିବଦ୍ଧ ବିଗୁଲ୍ ବାଜିଛି । ନିର୍ବାଚନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୦ ତାରିଖରେ ଶେଷ ହେବ । ଏ ନେଇ ଦଳର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡାକ୍ତର କେ ଲକ୍ଷ୍ମଣ ବିଜ୍ଞପ୍ତି ଜାରି କରିଛନ୍ତି ।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ୨ ଦିନ ଧରି ଚାଲିବ । ଏଥିପାଇଁ ଜାନୁୟାରୀ ୧୬ ତାରିଖ ଶୁକ୍ରବାର, ମାଘ କୃଷ୍ଣ ତ୍ରୟୋଦଶୀରେ ମଧ୍ୟାହ୍ନ ୧୨ଟାରେ ନିର୍ବାଚକ ମଣ୍ଡଳୀଙ୍କ ସୂଚୀ ପ୍ରକାଶ ପାଇବ । ଆସନ୍ତା ୧୯, ସୋମବାର, ମାଘ ଶୁକ୍ଳ ପ୍ରତିପଦାରେ ଅପରାହ୍ନ ୨ଟାରୁ ୪ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ନାମାଙ୍କନ ଭରିବେ । ସନ୍ଧ୍ୟା ୪ଟାରୁ ୫ ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଅନିଚ୍ଛୁକ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯିବ । ଏହା ପରେ ଜାତୀୟ ନିର୍ବାଚନ ଅଧିକାରୀ ପ୍ରେସ୍ ବିବୃତ୍ତି ଜାରି କରି ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ।
ପରଦିନ ଅର୍ଥାତ୍ ମଙ୍ଗଳବାର, ଜାନୁଆରୀ ୨୦ ମାଘ ଶୁକ୍ଳ ଦ୍ୱିତୀୟା ଦିନ ଯଦି ଏକାଧିକ ପ୍ରାର୍ଥୀ ଥିବେ ତାହା ହେଲେ ଆବଶ୍ୟକ ଅନୁଯାୟୀ ମତଦାନ କରାଯିବ । ଯଦି ଜଣେ ପ୍ରାର୍ଥୀ ଥିବେ ତାହା ହେଲେ ପୂର୍ବାହ୍ନ ସାଢ଼େ ୧୧ଟାରୁ ସାଢ଼େ ୧ଟା ମଧ୍ୟରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ।
ପ୍ରକାଶ ଯୋଗ୍ୟ, ୨୦୨୦ରେ ଜେପି ନଡ୍ଡା ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହୋଇଥିଲା । ବିଜେପିରେ ପ୍ରତି ତିନି ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ତାଙ୍କର କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେ ୨୦୨୫ ଯାଏଁ ସଭାପତି ଦାୟିତ୍ୱ ତୁଲାଇଥିଲେ । ଏହା ପରେ ବିଜେପି ଗତ ଡିସେମ୍ବର ୧୪ ତାରିଖରେ ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଘୋଷଣା କରିଥିଲା । ନୀତିନ ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଉଛନ୍ତି ।