ନୂଆଦିଲ୍ଲୀ: ଚୀନର କମ୍ୟୁନିଷ୍ଟ ପାର୍ଟିର ଏକ ପ୍ରତିନିଧିମଣ୍ଡଳ ସୋମବାର ବିଜେପି ମୁଖ୍ୟାଳୟ ପହଞ୍ଚିଛନ୍ତି । ୨୦୨୦ରେ ଗଲୱାନ ଘାଟିରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ଚୀନର ରାଜନୈତିକ ଦଳର ପ୍ରତିିନିଧିମଣ୍ଡଳ ଭାରତର କ୍ଷମତାସୀନ ବିଜେପି ପାର୍ଟି ସହ ସାକ୍ଷାତ କରିବାକୁ ପହଞ୍ଚିଛନ୍ତି । ଚୀନ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ ସୁନ ହାଇୟାନ, ଯିଏ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଅନ୍ତର୍ଜାତୀୟ ବିଭାଗର ଭାଇସ ମିନିଷ୍ଟର । ଏହି ସୂଚନା ଦେଇଛନ୍ତି ବିଜେପିର ବୈଦେଶିକ ମାମଲା ବିଭାଗର ପ୍ରଭାରୀ ବିଜୟ ଚୌଥାଇୱାଲେ । ସେ କହିଛନ୍ତି, ଚୀନ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ଦଳ କେମିତି ଆଲୋଚନା ଆଗକୁ ବଢିବ ସେ ନେଇ ଚର୍ଚ୍ଚା ହୋଇଛି ।
ଏହି ସମୟରେ ଚୀନ କମ୍ୟୁନିଷ୍ଟ ପାର୍ଟି ସହ ଆଲାଚନା ବେଳେ ବିଜେପି ନେତୃତ୍ୱ ନେଇଥିଲେ ସାଧାରଣ ସଂପାଦକ ଅରୁଣ ସିଂ । ବୈଠକରେ ଭାରତରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ଶୁ ଫେଇହଙ୍ଗ ଉପସ୍ଥିତ ଥିଲେ । ଅରୁଣ ସିଂ ମଧ୍ୟ ଏକ୍ସରେ ଏହି ବୈଠକ ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଆଜି ବିଜେପି କାର୍ଯ୍ୟାଳୟରେ ସୁନ ହାଇୟାନଙ୍କ ନେତୃତ୍ୱରେ ଚୀନ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ଦଳ ପହଞ୍ଚିଛନ୍ତି । ଏହି ବୈଠକରେ କେମିତି ବିଜେପି ଓ ସିପିସି ମଧ୍ୟରେ ଆଲୋଚନା ଆଗକୁ ବଢିବ ତା ଉପରେ ଆଲୋଚନା ହୋଇଛି । ଐତିହାସିକ ଭାବେ ବିଜେପି ଓ ଚୀନର କମ୍ୟୁନିଷ୍ଟ ମଧ୍ୟରେ ଏକ ଆନୁଷ୍ଠାନିକ ଆଲୋଚନା ୨୦୦୦ ମସିହାରେ ହୋଇଥିଲା।
କିନ୍ତୁ ଏହି ପ୍ରକ୍ରିୟା ଅନେକ ସମୟରେ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଗଲୱାନରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ୬ ବର୍ଷ ପରେ ପ୍ରଥମ ଥର ଏମିତି ଆନୁଷ୍ଠାନିକ ବୈଠକ ହୋଇଛି । କୁହାଯାଉଛି ୨୦୨୪ ଅକ୍ଟୋବର ପରେ ଦୁଇ ଦେଶର ସଂପର୍କରେ ସୁଧାର ଆସିଥିଲା । ପିଏମ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷର କଜାନରେ ସାକ୍ଷାତ ପରେ ଦୁଇ ଦେଶର ସଂପର୍କରେ ମଧୁରତା ଆସିଥିଲା । ଏହି ବୈଠକ ପରେ ଲଦାଖରେ ଦୁଇ ଦେଶର ସୈନିକ ସଂଖ୍ୟା ହ୍ରାସ ପାଇଥିଲା । ଏହା ବ୍ୟତୀତ କୂଟନୈତିକ ସ୍ତରରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ।