ଭୁବନେଶ୍ୱର: ବିଜେଡ଼ି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ବାପା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଶୁକ୍ରବାର ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ବିଜୟ ମହାପାତ୍ର ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି । କିଏ ବିଶ୍ୱାସଘାତକ ଲୋକେ ବିଚାର କରିବେ ବୋଲି କହିଛନ୍ତି ବିଜୟ ।
ବିଜୟ ମହାପାତ୍ର କହିଛନ୍ତି ଯେ ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପଛରେ ଷଡଯନ୍ତ୍ର ଥାଇପାରେ । କାହା ପାଖରେ କଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ । ଭବିଷ୍ୟତ କଥା କିଏ କହିବ । ଦଳ ବିରୋଧୀ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି । ପୁଅର ନିଲମ୍ବନ ବିଷୟରେ ତାଙ୍କୁ କିଛି ଜଣାନଥିଲା । ଅରବିନ୍ଦ ସବୁବେଳେ ଦଳର କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ତାଙ୍କ ସହିତ କୌଣସି ଆଲୋଚନା ହୁଏ ନାହିଁ । ତେବେ ଏହା ପରେ ପାଟକୁରାରେ ତାଙ୍କର ଦଳୀୟ ପ୍ରଭାବ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜୟ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଶ୍ୱାସଘାତକ କିଏ ତାହା ଲୋକେ ବିଚାର କରିବେ । ପୁଅ ବିରୁଦ୍ଧରେ କୌଣସି ଅଭିଯୋଗ ନ ଥିଲା । ତେଣୁ ବିନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନ ଥିଲା । ଅରବିନ୍ଦ କଣ ପଦକ୍ଷେପ ନେବେ ତାହା ସିଏ କହିପାରିବେ । କିନ୍ତୁ ବିଧାୟକ ହିସାବରେ ସେ ତାଙ୍କର କାର୍ଯ୍ୟ ଜାରି ରଖିବେ ।
ସେହିପରି ଅରବିନ୍ଦ ମହାପାତ୍ର ବାପା ବିଜୟଙ୍କ ସମ୍ପର୍କରେ ନବୀନଙ୍କ ସହିତ ଆଲୋଚନା କରିଥିବା ପ୍ରଶ୍ନକୁ ସେ ଖଣ୍ଡନ କରିଛନ୍ତି । ମୋ ସମ୍ପର୍କରେ ନବୀନଙ୍କ ସହ କିଛି ଆଲୋଚନା କରିନି ।