ନୂଆଦିଲ୍ଲୀ: ସମସ୍ତ ଗଣିତର ଅଙ୍କ କଷାକୁ ଭୁଲ ପ୍ରମାଣିତ କରି ହରିୟାଣାରେ ବିଜେପି ଅପ୍ରତ୍ୟାଶିତ ବିଜୟ ହାସଲ କରିଛି । ସେଥିପାଇଁ ଦଳରେ ଏବେ ନାହିଁ ନ ଥିବା ଖୁସିର ମାହୋଲ । ହରିୟାଣାରୁ ନେଇ ଦିଲ୍ଲୀ ଯାଏ ଚାଲିଛି ସେଲିବ୍ରେସନ । ଏହାରି ମଧ୍ୟରେ ଏଠାରେ ମୁଖ୍ୟମନ୍ତ୍ରୀ କିଏ ହେବ, ଆଲୋଚନା ଜୋର ଧରିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ନାୟବ ସିଂହ ସୈନୀଙ୍କର ସିଂହାସନ ବଜାୟ ରହିବ ନାଁ ଦଳ ଆଉ କାହା ମୁଣ୍ଡରେ ମୁକୁଟ ପିନ୍ଧାଇବ ସେଥିପାଇଁ ଆରମ୍ଭ ହୋଇଯାଇଛି ତର୍କ ବିତର୍କ ।
ତେବେ ନିର୍ବାଚନର ସଫଳତା ପରେ ଶ୍ରୀଯୁକ୍ତ ସୈନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଏହି ଭେଟଘାଟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଚାର ବିମର୍ଶ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ବୋଲି ନାୟବ ସିଂହ କହିଛନ୍ତି ।
ବୁଧବାର ନାୟବ ସିଂହ ସୈନୀ ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସକ୍ଷାତ କରିଛନ୍ତି । ଏହା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା, ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ତଥା ହରିୟାଣା ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ଭେଟିଛନ୍ତି । ସାକ୍ଷାତ ନେଇ ନାୟବ ସିଂହ କହିଛନ୍ତି ଯେ ହରିୟାଣାର ପରବର୍ତ୍ତୀର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସଂସଦୀୟ ବୋର୍ଡ ଏବଂ ବିଧାୟକ ଦଳ ନିଷ୍ପତି ନେବ । ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ ହୋଇଛି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମଧ୍ୟ ସୂଚନା ଦେଇ କହିଛନ୍ତି ଯେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇଛି । ଏହା ସହିତ ନିର୍ବାଚନରେ ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି । ବିକଶିତ ଭାରତ ସଂକଳ୍ପରେ ହରିୟାଣା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ।
ଗତକାଲି ପ୍ରକାଶ ପାଇଥିବା ହରିୟାଣା ନିର୍ବାଚନ ଫଳାଫଳରେ ୯୦ଟି ଆସନରୁ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରି ୪୮ଟି ଆସନରେ ବିଜୟ ଲାଭ କରିଛି । ସେହିପରି ପୁଣି ଥରେ ସରକାରକୁ ଫେରିବାକୁ ଚାହୁଁଥିବା କଂଗ୍ରେସ ୩୭ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟ ହୋଇଛନ୍ତି ।