ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଅଭିଯୋଗ ଶୁଣାଣି । ସୋମବାର ଦିନ ୧୧ଟା ସମୟରୁ ଭୁବନେଶ୍ୱର ୟୁନିଟ୍- ୫ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଦ୍ୱିତୀୟ ଥର ପାଇଁ ଅଭିଯୋଗ ଶୁଣାଣି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଦିନ ୧୧ଟା ସମୟରୁ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଛି । ଏହା ପୂର୍ବରୁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ନାମ ପଞ୍ଜିକରଣ ହୋଇଥିଲା । ପାଖାପାଖି ୨ ହଜାରରୁ ଅଧିକ ଲୋକ ପଞ୍ଜିକରଣ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଶୁଣାଣୀ ଆରମ୍ଭ କରିଥିଲେ । ଶ୍ରୀଯୁକ୍ତ ମାଝୀ ସମସ୍ତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ନୂତନ ସରକାର ଆସିବା ପରେ ‘ଏ ସରକାର ଲୋକଙ୍କ ସରକାର’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । ଏହା ପରେ ଚଳିତ ମାସ ୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ପ୍ରଥମ ଦିନରେ ସମୁଦାୟ ୧୫୪୦ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା କହିଥିଲେ ।