ଖବର ଓଡିଶା : 28/02/2023:
ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ମାସେ ବିତିଲାଣି ହେଲେ ଏଯାଏଁ ଏ ଘଟଣା କୁ ନେଇ ଥମୁନି ରାଜନୀତି । ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନବ ଦାସ ହତ୍ୟା ମାମଲା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି କରାଯାଉଛି । ରାଲିକୁ ପୋଲିସ ଅଟକାଇବା ସମୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ଯୁବମୋର୍ଚ୍ଚା ଉପରେ ପୋଲିସ ଲାଠିମାଡ କରିଛି । କିଛି ପୋଲିସ କର୍ମୀ ଓ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ମଧ୍ୟ ବିଜେପି ଯୁବମୋର୍ଚ୍ଚା ଅଣ୍ଡାମାଡ କରିଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।
ସେପଟେ ବିଧାନସଭା ଶୂନ୍ୟକାଳରେ ଶାସକ ଦଳ ସଦସ୍ୟ ମାନ ହଙ୍ଗାମା କରିଥିଲେ । ଫଳରେ ଗୃହ ୪ଟା ଯାଏଁ ମୁଲତବି ରହିଛି । ପ୍ରଶ୍ନ କାଳ ସରିବା ମାତ୍ରେ ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର, ରାଜ୍ୟକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ ।