ଭୁବନେଶ୍ୱର: ବିଜେଡ଼ି ନେତା ଦଳ ଛାଡ଼ିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବିରୋଧୀ ଦଳର ଅଧିକାଂଶ ନେତା ଶାସକ ଦଳରେ ଯୋଗ ଦେଇ ପାରନ୍ତି । ଏ ନେଇ ଆମେ କହୁନୁ ବରଂ କହୁଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଏ ନେଇ ସେ ମଙ୍ଗଳବାର ବଡ ବୟାନ ଦେଇଛନ୍ତି ।
ସରୋଜ ପାଢ଼ୀ କହିଛନ୍ତି ଯେ ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ବିଧାୟକ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି । ୨୭ ବିଧାୟକ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । ବିଜେପି କାହାକୁ କାହାକୁ ନେବ ସେ ନେଇ ଚିନ୍ତା କରୁଛି । କିଛି ବଡ଼ ପଦବୀ ବି ଦିଆଯାଇପାରେ । କଣ ଦାୟିତ୍ୱ ଦିଆଯିବ, ଦଳର ନେତୃତ୍ୱ ନିଷ୍ପତ୍ତି ନେବେ ।
ସେହିପରି ସେ ଆଗକୁ ଆହୁରି କହିଛନ୍ତି, ବିଜେଡି ଏବେ ବିଗ ଜିରୋ । ତେଣୁ ସେମାନଙ୍କର ଆଉ ଭବିଷ୍ୟତ ନାହିଁ । ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ, ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ଦଳ ରହିଲେ ତ ସେ ସରକାର କରିବେ । ତୋଫାନ ଆସିଲେ ଯେପରି ସମସ୍ତେ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ନ୍ତି, ସେପରି ବିଜେଡ଼ି ନେତା ବିଜେପିକୁ ଡେଇଁବେ । ବିଜେଡ଼ିରେ ଆଉ ନେତା କି କର୍ମୀ ରହିବେ ନାହିଁ ।
ସେହିପରି ସେ ମୁନା ଖାଁଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ ନିଜର ସ୍ଥିତି ଜାଣି ନାହାନ୍ତି । ତାଙ୍କୁ ୨୦ ବର୍ଷ ପରେ ରାଜ୍ୟସଭା ସଦସ୍ୟ କରାଯାଇଛି ବୋଲି ସେ ଉପରକୁ ତଳକୁ ହେଉଛନ୍ତି । ବିଜେପି ରାଷ୍ଟ୍ରୀୟ ଦଳ ବୋଲି । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ ।
ନବୀନ ପଟ୍ଟାନାୟକଙ୍କର ଦଳ ନାହିଁ କି ଖୋଳ ନାହିଁ । ମୋହନ ମାଝୀ ଗଲେ ଦୁର୍ଗା ପୂଜା ଦେଖିବାକୁ, ସେ ବି ଟପ ଟପ ହୋଇ ଚାଲିଗଲେ । ତାଙ୍କୁ ବିଜେପି ୧୦ ବର୍ଷ ଚଳାଇଥିଲା, ତା ପରେ ପ୍ୟାରୀ ବାବୁ ଚଳାଇଲେ ଏବଂ ପରେ ପାଣ୍ଡିଆନ ଚଳେଇଲେ ବୋଲି କହି ତାସ୍ଚଲ୍ୟ କରିଛନ୍ତି ସରୋଜ ପାଢୀ ।
ତେବେ ଆଗରୁ ବିଜେପି ସଭାପତି ମନମୋହନ ସାମଲ, ଜୟ ନାରାୟଣ ମିଶ୍ର, ରବି ନାଏକ ପ୍ରମୁଖ ବିଜେଡ଼ି ନେତା ବିଜେପିରେ ସାମିଲ ହେବେ ବୋଲି କହିସାରିଛନ୍ତି ।