ଯାଜପୁର: ନିର୍ବାଚନ ହାରିଲା ପରେ ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡ଼ି । ଜଣେ ବିଧାୟକଙ୍କ ଉପରକୁ ଆକ୍ରମଣ ହୋଇଛି । ଯାଜପୁର ଧର୍ମଶାଳା ବିଧାୟକଙ୍କ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କୁ ବାଡ଼େଇ ତାଙ୍କଠାରୁ ସୁନା ଚେନ ଛଡ଼ାଇ ନେଲେ ଆକ୍ରମଣକାରୀ । ସେମାନେ ବବି ଦାସଙ୍କ ସମର୍ଥକ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଧାୟକ ।
ବିଧାୟକ ହିମାଂଶୁ ସାହୁଙ୍କ ଅଭିଯୋଗ ମୁତାବକ, ସେ ଡିଏମ୍ଙ୍କ ଅଫିସକୁ ଏକ ମିଟିଂ ପାଇଁ ଯିବାବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଛି । କିଛି ଲୋକ ଟାୟାର ଜାଳି ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ତାଙ୍କ ଗାଡ଼ି ସେଠାରେ ଅଟକି ଥିଲା । କିନ୍ତୁ କିଛି ଲୋକ ହଠାତ୍ ତାଙ୍କ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ । ଗାଡ଼ିରେ ତାଙ୍କୁ ଦେଖି ମଧ୍ୟ ଆକ୍ରମଣ କରିଥିଲେ, ଏମିତିକି ବେକର ଥିବା ସୁନା ଚେନକୁ ଛିଣ୍ଡାଇ ନେଇଗଲେ । ଆଉ ନାରା ଦେଉଥିଲେ, ବବି ଭାଇ ଜିନ୍ଦାବାଦ୍, ଏ ବବି ଭାଇଙ୍କ ବିରୋଧରେ ବହୁତ କହୁଥିଲା ତୋତୋ ଜୀବନରୁ ମାରିଦେବୁ, ତୁରନ୍ତ ଏଠୁ ପଳା ବୋଲି କହିଥିଲେ । ଏମିତିକି ପୁଲିସ ସାମ୍ନାରେ ଏସବୁ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ବିଧାୟକ ।
ଅନ୍ୟପକ୍ଷରେ ଜଣେ ବିଧାୟକଙ୍କ ଉପରକୁ ଏମିତି ଆକ୍ରମଣ ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି କର୍ମୀ ଏବଂ ବିଧାୟକଙ୍କ ସମର୍ଥକମାନେ ଘଟଣା ସ୍ଥଳରେ ପହଁଚି ବିଧାୟକଙ୍କୁ ସୁରକ୍ଷା ଦେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ସେପଟେ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚି ଯାଞ୍ଚ କରିଛି । ମାମଲାକୁ ଗୁରୁତର ସହ ନେଇଛି ପୁଲିସ । ଏଥିରେ ଯିଏ ସମ୍ପୃକ୍ତି ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।