ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସଂପନ୍ନ ହୋଇ ସାରିଛି। ୨୮୮ ବିଧାନସଭା ସିଟ୍ରେ ୫୮.୨୫ ପ୍ରତିଶତ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଜ୍ୟରେ କେଉଁ ଦଳ ସରକାର କରିବ, କାହାକୁ ଜନତା ଅଧିକ ପସନ୍ଦ କରିଛନ୍ତି, କିଏ କ୍ଷମତାରୁ ବାହାର ହେବ ଏସବୁର ଏକଜିଟ୍ ପୋଲ୍ ଆସି ଯାଇଛି। ଅନେକ ଏଜେନ୍ସିର ଏକଜିଟ୍ ପୋଲ୍ରେ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ଆଗୁଆ ରହୁଥିବା ପୂର୍ବାନୁମାନ କରାଯାଇଛି। ଆଉ କିଛି ଏକଜିଟ୍ ପୋଲରେ କଂଗ୍ରେସ ପାର୍ଟି ନେତୃତ୍ଵାଧୀନ ମହାବିକାଶ ଅଘାଡ଼ି ଆଗରେ ଥିବା ଅନୁମାନ କରିଛନ୍ତି।
ନ୍ୟୁଜ୍ ୧୮ ମ୍ୟାଟ୍ରିଜର ଏକଜିଟ୍ ପୋଲ୍ ଅନୁସାରେ ରାଜ୍ୟରେ ୨୮୮ ବିଧାନସଭା ସିଟ୍ରେ ମହାୟୁତି ମେଣ୍ଟକୁ ୧୫୦ ରୁ ୧୭୦ ସିଟ୍ ମିଳୁଥିବା ପୂର୍ବାନୁମାନ କରାଯାଇଛି। ଏହି ସର୍ଭେରେ କଂଗ୍ରେସ ପାର୍ଟି ନେତୃତ୍ଵାଧୀନ ମହାବିକାଶ ଅଘାଡ଼ିକୁ ୧୧୦ରୁ ୧୩୦ ସିଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ଅନ୍ୟ ଖାତାକୁ ୮ରୁ ୧୦ ସିଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ପି-ଏମଏଆରକ୍ୟୁର ଏକଜିଟ୍ ପୋଲରେ ମହାୟୁତି ମେଣ୍ଟକୁ ୧୩୭ରୁ ୧୫୭ ସିଟ୍ ମିଳିବ ବୋଲି ଆଶା କରାଯାଉଛି।
ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ରେ ମହାବିକାଶ ଅଘାଡ଼ିକୁ ୧୨୬ରୁ ୧୪୬ ସିଟ୍ ମିଳିବ ବୋଲି ଆକଳନ କରାଯାଇଛି। କଂଗ୍ରେସ ମେଣ୍ଟକୁ ୯୭ ଓ ଅନ୍ୟକୁ ୯ ଆସନ ମିଳିପାରେ। P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭ ରୁ୧୫୭ ଆସନ, ଏମଭିଏକୁ ୧୧୦ରୁ ୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।
ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ । ଲୋକସାହୀ ମରାଠୀର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮ ରୁ ୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫ରୁ ୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ ।
ଏସଏଏସ ଗ୍ରୁପର ଏକଜିଟ୍ ପୋଲ୍ରେ ମହାବିକାଶ ଅଘାଡ଼ିକୁ ୧୪୭ରୁ ୧୫୫ ସିଟ୍ ମିଳିବ ବୋଲି ଆଶା କରାଯାଉଛି। ମହାୟୁତି ମେଣ୍ଟକୁ ୧୨୭ରୁ ୧୩୫ ସିଟ୍ ମିଳିବ ବୋଲି ଆଶା କରାଯାଇଛି। ଅନ୍ୟକୁ ୧୦ରୁ ୧୩ ସିଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।