ରାଞ୍ଚି: ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୩୮ ଆସନ ପାଇଁ ମତଦାନ ଶେଷ ହୋଇଛି । ଏହାସହ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବାରେ ଲାଗିଛି । ସାମ୍ନାକୁ ଆସିଥିବା ଏକଜିଟ୍ ପୋଲରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । କିଛି ସଂସ୍ଥାଙ୍କ ସର୍ଭେ ଏନଡିଏ ସପକ୍ଷରେ ଥିବା ବେଳେ କିଛିର ଏକଜିଟ୍ ପୋଲ୍ ଇଣ୍ଡି ମେଣ୍ଟ ସପକ୍ଷରେ ରହିଛି । ତେଣୁ ଝାଡଖଣ୍ଡରେ କିଏ ଗଢିବ ସରକାର ଚିତ୍ର ଅସ୍ପଷ୍ଟ ରହିଛି ।
ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪ ରୁ ୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫ ରୁ ୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ । ମାଟ୍ରିଜ୍ ଏକଜିଟ୍ ପୋଲର ଏକଜିଟ୍ ପୋଲ୍ ଅନୁସାରେ ଏନଡିଏ ୪୨ ରୁ୪୭ ଆସନ, ଇଣ୍ଡି ମେଣ୍ଟ ୨୫ ରୁ ୩୦ ଏବଂ ଅନ୍ୟ ୧ ରୁ ୪ ଆସନ ଜିତି ପାରନ୍ତି । ଚାଣକ୍ୟ ଷ୍ଟ୍ରାଟେଜିସର ଏକଜିଟ୍ ପୋଲରେ ଏନଡିଏ ଖାତାକୁ ୪୫ ରୁ ୫୦ ଆସନ ଯାଉଥିବା ବେଳେ ଇଣ୍ଡି ମେଣ୍ଟକୁ ୩୫ ରୁ ୩୮ ଏବଂ ଅନ୍ୟଙ୍କୁ ୩ ରୁ ୫ ଆସନ ମିଳିପାରେ ।
ସେହିପରି ପି ମାର୍କର ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏ ୩୧ ରୁ ୪୦ ସିଟ୍ ଜିତିପାରେ । ଇଣ୍ଡି ମେଣ୍ଟକୁ ୩୭ ରୁ ୪୭ ଏବଂ ଅନ୍ୟଙ୍କୁ ୧ ରୁ ୬ ଆସନ ମିଳିପାରେ । ତେବେ ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଇଣ୍ଡି ମେଣ୍ଟ ୫୩ ଆସନ ସହ ପୁଣି ଥରେ ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫ ଏବଂ ଅନ୍ୟଙ୍କୁ ୩ ଆସନ ମିଳିପାରେ ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସରକାର ଚାଲିଛି । ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏଥର ନିର୍ବାଚନ ବେଶ କଡା ସଂଘର୍ଷ ହୋଇଛି । ଫଳାଫଳ ନଭେମ୍ବର ୨୩ ତାରିଖରେ ପ୍ରକାଶ ପାଇବ ।