କିଛି ଦିନର ବ୍ୟବଧାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜେପି ରାଜ୍ୟ ନେତୃମଣ୍ଡଳୀ ଶ୍ରୀ ଶାହଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଛନ୍ତି । ଶାହ ଆଜି ଦକ୍ଷିଣ ଓଡ଼ିଶାର ସୋରଡ଼ା ଓ ପଶ୍ଚିମ ଓଡ଼ିଶାର ବୌଦ୍ଧରେ ‘ବିଜୟ ସଂକଳ୍ପ ସମାବେଶ’କୁ ସମ୍ବୋଧିତ କରିବେ । ସେହିପରି ସେ ଆଜି ସନ୍ଧ୍ୟାରେ କଟକରେ ରୋଡ ଶୋ’ କରିବେ । ଶାହଙ୍କ ଓଡ଼ିଶା ଗସ୍ତ ନେଇ ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶାହଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯିବା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସୋରଡ଼ା ଅଭିମୁଖେ ବାହାରିଛନ୍ତି । ସେ ଦିନ ୧ଟା ୩୦ରେ ସୋରଡ଼ା ଓ ଅପରାହ୍ଣ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ବିଜୟ ସଂକଳ୍ପକୁ ସମ୍ବୋଧିତ କରିବେ । ଏହା ପରେ ଶ୍ରୀ ଶାହ କଟକ ଅଭିମୁଖେ ଯିବେ ।ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ଐତିହାସିକ କଟକରେ ଶାହ ମେଗା ରୋଡ ଶୋ’ କରି ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମାଗିବେ । କଟକବାସୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶାହଙ୍କ ମେଗା ରୋଡ ଶୋ’ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ଶାହଙ୍କ ରାଲି ରାସ୍ତା ଗେରୁଆମୟ ଦେଖାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼କଡ଼ି କରଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ କଟକରେ ରୋଡ୍ ଶୋ’ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ୩୦ରେ ହେବ । ଏହି ରୋଡ ଶୋ’ ଗୋପବନ୍ଧୁ ବାଗ୍ରୁ ଆରମ୍ଭ ହେବ । ବକ୍ସିବଜାର ଦେଇ ଆଗକୁ ବଢ଼ିବ । ଏହି ଶୋ’ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବକ୍ସିବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର ଓ ଶେଖ୍ ବଜାର ଦେଇ ଚଣ୍ଡୀମନ୍ଦିରରେ ପହଞ୍ଚିବ ।