ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ରାଜ୍ୟସଭାରେ ଦୁଇ ଦିନ(୧୬ ଘଣ୍ଟା) ଧରି ଜାରି ରହିଥିବା ମହାବିତର୍କ ଉପରେ ସରକାରଙ୍କ ପକ୍ଷରୁ ବୁଧବାର ଜବାବ ଦେବା ପାଇଁ ଉପସ୍ଥିତ ହୋଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଯେମିତି ଗୃହ ମନ୍ତ୍ରୀ ଛିଡା ହୋଇ ନିଜର ଭାଷଣ ଆରମ୍ଭ କଲେ, ବିରୋଧୀ ସାଂସଦମାନେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବି କରିବାରେ ଲାଗିଲେ । ବିରୋଧୀ ମାନେ ଏହାକୁ ନେଇ ହଙ୍ଗାମା କରିଥିଲେ ଯେ, ଯେବେ ପ୍ରଧାନମନ୍ତ୍ରୀ ଗୋଟିଏ ଗୃହରେ ଜବାବ ଦେଲେ ତେବେ ଅନ୍ୟ ଗୃହରେ ଉତ୍ତର ଦେବାକୁ କାହିଁକି ଆସିଲେ ନାହିଁ ? ଏହା ଉପରେ ଗୃହମନ୍ତ୍ରୀ ବିରୋଧୀ କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି ଯେ, ମୋ ସହ ମୁକାବିଲା କରି ନିଅନ୍ତୁ, କାହିଁକି ପ୍ରଧାନମନ୍ତ୍ରୀଙ୍କୁ ଡକାଉଛନ୍ତି ? ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଅଛନ୍ତି ।
ଶାହ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀଙ୍କୁ ଡକାଇବ ତେବେ ଆହୁରି ସମସ୍ୟା ହେବ, କଣ ଏ ପର୍ଯ୍ୟନ୍ତ ମନ ଭରି ନାହିଁ ଯେ, ତାଙ୍କୁ ଆହୁରି ଡକାଇବାକୁ ଚାହୁଁଛନ୍ତି । ଏହା ପରେ ବି ହଙ୍ଗାମା ଜାରି ରହିବାରୁ ଉପାଧ୍ୟକ୍ଷ ବିରୋଧୀ ସାଂସଦ ଓ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଟକାଇ ଏହି ଧରଣର ବ୍ୟବହାର ଉପରେ ଆପତ୍ତି ପ୍ରକାଶ କରିଥିଲେ । ଖଡଗେ କହିଛନ୍ତି, ଏହା ସ୍ଥିର ହୋଇଥିଲା ଯେ, ପ୍ରଧାନମନ୍ତ୍ରୀ ଗୃହକୁ ଆସି ଉତ୍ତର ରଖିବେ । ମାତ୍ର ସେ ଆସିଲେ ନାହିଁ ।
ଖଡଗେ କହିଛନ୍ତି, ୧୬ ଘଣ୍ଟାର ଆଲୋଚନା ପରେ ସମସ୍ତ ସଦସ୍ୟଙ୍କୁ ଆଶା ଥିଲା ଯେ, ପ୍ରଧାନମନ୍ତ୍ରୀ ଆଲୋଚନା ସମୟରେ ଉଠିଥିବା ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ରଖିବେ । ପ୍ରଧାନମନ୍ତ୍ରୀ ସଂସଦରେ ଥାଇ ଯଦି ଗୃହକୁ ନ ଆସିବେ ତେବେ ଏହା ଘୋର ଅପମାନ । ଏହା ଉପରେ ଉପାଧ୍ୟକ୍ଷ ହରିବଂଶ କହିଛନ୍ତି ଯେ, ସେ କାର୍ଯ୍ୟ ମନ୍ତ୍ରଣା କମିଟିରେ ପୂର୍ବରୁ ଜଣାଇ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ଆଲୋଚନାରେ ହସ୍ତକ୍ଷେପ କରିବେ ନାହିଁ ଏବଂ ତାଙ୍କ ବଦଳରେ ଗୃହ ମନ୍ତ୍ରୀ ଜବାବ ଦେବେ ।