ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇବାର ଦୁଇ ଦିନ ପରେ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନେଇ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧୭ (ମଙ୍ଗଳବାର) ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି।
ପାଞ୍ଚ ମାସ ଜେଲରେ ରହିବା ପରେ ରବିବାର ପ୍ରଥମ ଥର ପାଇଁ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଥିବା କେଜ୍ରିୱାଲ କହିଛନ୍ତି ଯେ ମନୀଷ ସିସୋଦିଆ ମଧ୍ୟ ସରକାରରେ ଯୋଗ ଦେବେ ନାହିଁ। ରାଜନୈତିକ ପର୍ଯ୍ୟବେକ୍ଷକମାନେ କେଜ୍ରିୱାଲଙ୍କ ନିଷ୍ପତ୍ତିକୁ ହରିୟାଣା ନିର୍ବାଚନ ଏବଂ ଦୁର୍ନୀତି ପ୍ରସଙ୍ଗରେ ଦଳର ପରାଜୟକୁ ରୋକିବାକୁ ପ୍ରୟାସ ସହ ଯୋଡ଼ିଛନ୍ତି। କେଜ୍ରିୱାଲ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ ପାଖରେ କ୍ଷମତା ଲୋଭ ନାହିଁ ଏବଂ ଶୀର୍ଷ ପଦକୁ ଫେରିବା ପୂର୍ବରୁ ଲୋକଙ୍କ ରାୟ ଚାହୁଁଛନ୍ତି।
ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ନିଷ୍ପତ୍ତି ନେବା ପାଇଁ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ବିଧାୟକଙ୍କ ବୈଠକ ବସିବ। ସେ ନିଜେ ଲୋକଙ୍କ ମଧ୍ୟରେ ଯାଇ ସେମାନଙ୍କ ସମର୍ଥନ ଲୋଡ଼ିବେ। ଯଦି ଦିଲ୍ଲୀବାସୀ ଭାବୁଛନ୍ତି ମୁଁ ସଚ୍ଚୋଟ, ମୋତେ ଭୋଟ୍ ଦିଅନ୍ତୁ ଏବଂ ଯଦି ସେମାନେ ଭାବୁଛନ୍ତି ଯେ ମୁଁ ଦୋଷୀ ତେବେ ଆଗାମୀ ନିର୍ବାଚନରେ ମୋତେ ଭୋଟ୍ ଦିଅନ୍ତୁ ନାହିଁ। ଯଦି ଲୋକେ ଭାବୁଛନ୍ତି କେଜ୍ରିୱାଲ ଅସାଧୁ, ତେବେ ମୁଁ ଗୋଟିଏ ମିନିଟ୍ ପାଇଁ ବି ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ବସିବି ନାହିଁ। ମୁଁ ମୋ ଜୀବନରେ ସମ୍ମାନ ଏବଂ ସଚ୍ଚୋଟତା ବ୍ୟତୀତ ଆଉ କିଛି ରୋଜଗାର କରିନାହିଁ, ମୋର ଏବଂ ମୋ ଦଳର ବ୍ୟାଙ୍କ ଆକାଉଣ୍ଟ ଖାଲି ଅଛି।
ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ଶୀର୍ଷରେ ଅଛନ୍ତି ଶିକ୍ଷାମନ୍ତ୍ରୀ ଆତିଶୀ। ଆତିଶୀ ହେଉଛନ୍ତି କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ବିଶ୍ୱସ୍ତ ସହଯୋଗୀ। ଜଣେ ମହିଳା ହେବା ମଧ୍ୟ ସେମାନଙ୍କ ସପକ୍ଷରେ ଯାଇଥାଏ। ସେ ହେଉଛନ୍ତି ସରକାରଙ୍କ ଦ୍ବିତୀୟ ଶକ୍ତିଶାଳୀ ମନ୍ତ୍ରୀ। ପରିବହନ ମନ୍ତ୍ରୀ କୈଳାସ ଗେହଲୋଟଙ୍କ ନାମ ମଧ୍ୟ ବିଚାରକୁ ନିଆଯାଉଛି। ଏପରିକି ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ନାମ ମଧ୍ୟ ଆସିପାରେ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା