ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ରାମଲୀଳା ମଇଦାନରେ ଆସନ୍ତା ନଭେମ୍ବର ୧ ତାରିଖରେ ହେବାକୁ ଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସମାବେଶକୁ ଦିଲ୍ଲୀ ପୁଲିସ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ପୁଲିସ ଅନୁମତି ପ୍ରତ୍ୟାହାର କରିନିଶ୍ଚିତ ବୋଲି ସ୍ପଷ୍ଟ କରିବା ସହିତ ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷା ଦୃଷ୍ଟିରୁ ଏନଓସି ପ୍ରଦାନ କରାଯାଇଛି ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି।
ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରାଯାଉଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଏହି ସ୍ପଷ୍ଟୀକରଣ ରଖିଛି। ରାଲିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
୩୫୦୦ ପୁଲିସ କର୍ମଚାରୀ ଓ ଅତ୍ୟାଧୁନିକ କ୍ୟାମେରାରେ ନଜର
ଆସନ୍ତା ନଭେମ୍ବର ୧ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ବିଶାଳ ରାଲି ଅନୁଷ୍ଠିତ ହେବ। ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମାବେଶ ସ୍ଥଳରେ ପ୍ରାୟ ୩,୫୦୦ ସୁରକ୍ଷା କର୍ମୀ ମୁତୟନ ରହିବେ। ସୁରକ୍ଷା ଉପରେ କଡ଼ା ନଜର ରଖିବା ପାଇଁ ୨୦୦ରୁ ଅଧିକ ସିସିଟିଭି କ୍ୟାମେରା, 'ବଡ଼ି-ୱର୍ଣ୍ଣ' କ୍ୟାମେରା ଏବଂ ସର୍ଭିଲାନ୍ସ ଯାନ ବ୍ୟବହାର କରାଯିବ।
ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ସମଗ୍ର ଅଞ୍ଚଳକୁ ୧୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ୍ର ଦାୟିତ୍ୱରେ ଜଣେ ସହକାରୀ ପୁଲିସ କମିଶନର (ACP) ମାନ୍ୟତାର ଅଧିକାରୀ ରହିବେ ଏବଂ ଦୁଇଟି ଜୋନ୍ର ଦାୟିତ୍ୱ ଅତିରିକ୍ତ ପୁଲିସ ଡେପୁଟି କମିଶନର (DCP) ପାହ୍ୟାର ଅଧିକାରୀଙ୍କ ହାତରେ ରହିବ। ଏହାଛଡ଼ା ରିଜର୍ଭ ଫୋର୍ସର ୧୦ କମ୍ପାନୀ ମଧ୍ୟ ମୁତୟନ କରାଯିବ।
ପାଳନ କରିବାକୁ ହେବ କଡ଼ା ସର୍ତ୍ତ ଓ ନିୟମ
କଂଗ୍ରେସ ମୁଖ୍ୟାଳୟର ନେତା ମନୀଷ ଚତରଥଙ୍କୁ ପଠାଯାଇଥିବା ସରକାରୀ ପତ୍ର ଅନୁଯାୟୀ, କେତେକ କଡ଼ା ସର୍ତ୍ତ ଆଧାରରେ ଏହି ଅନୁମତି ଦିଆଯାଇଛି:
୧. ରାଲି ଏବଂ ସଭା ସମ୍ବନ୍ଧୀୟ ସମସ୍ତ ଆଇନଗତ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ।
୨. ସମାବେଶକୁ ଆସୁଥିବା ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୋଜକମାନେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବେ, ଯାହାଦ୍ୱାରା କୌଣସିପ୍ରକାର ହିଂସା କିମ୍ବା ଅଶାନ୍ତି ସୃଷ୍ଟି ହେବ ନାହିଁ।
୩. ନଭେମ୍ବର ୧ ତାରିଖ ସନ୍ଧ୍ୟା ୫ଟା ଭିତରେ ରାଲି ନିଶ୍ଚିତ ଭାବେ ସମାପ୍ତ ହେବା ଆବଶ୍ୟକ।
୪. ରାଲି ପୂର୍ବରୁ କିମ୍ବା ପରେ କୌଣସି ପରିସ୍ଥିତିରେ ମଧ୍ୟ କୌଣସି ଅଂଶଗ୍ରହଣକାରୀ ରାମଲୀଳା ମଇଦାନରେ ରାତିରେ ରହିପାରିବେ ନାହିଁ।
୫. ସମାବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବା ଜରୁରୀ ଏବଂ କୌଣସି ପ୍ରକାରର ଉଗ୍ର ବ୍ୟବହାର, ହୋ-ହଲ୍ଲା କିମ୍ବା ଉତ୍ତେଜନାମୂଳକ ଆଚରଣ କରାଯିବ ନାହିଁ।
୬. ଜମିର ମାଲିକାନା ରଖିଥିବା ସମ୍ପୃକ୍ତ ବିଭାଗରୁ ପୂର୍ବ ଅନୁମତି ନେବା ଏବଂ ପୁଲିସ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପଡ଼ିବ।
୭. ରାମଲୀଳା ମଇଦାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଶୋଭାଯାତ୍ରା କିମ୍ବା ମାର୍ଚ୍ଚ କରାଯିବ ନାହିଁ।
୮. ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକର ଉଲ୍ଲଂଘନ କଲେ ଆୟୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଅନୁମତି ମଧ୍ୟ ରଦ୍ଦ କରାଯାଇପାରିବ।