ନୂଆଦିଲ୍ଲୀ: ସକାଳ ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ବୁଧବାର ସକାଳ ୭ଟାରୁ ୧.୫୬ କୋଟିରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଦିଲ୍ଲୀ ମଇଦାନରେ ଅଛନ୍ତି ୬୯୯ ପ୍ରାର୍ଥୀ । ସମସ୍ତ ୭୦ ବିଧାନସଭା ମଣ୍ଡଳୀରେ ୧୩ ହଜାର ୭୬୬ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ନିର୍ବାଚନ ଆୟୋଗ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ଅର୍ଦ୍ଧସାମରିକ ବଳର ୨୨୦ କମ୍ପାନି, ଦିଲ୍ଲୀ ପୋଲିସର ୩୫ ହଜାର ୬୨୬ ଯବାନ ଓ ୧୯ ହଜାର ହୋମଗାର୍ଡ ମୁତୟନ କରିଛି ।
ସୀମା ସିଲ, ଯାନବାହାନ ଯାଞ୍ଚ
ନିର୍ବାଚନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଶର ରାଜଧାନୀର ସୀମା ସିଲ୍ କରି ଦିଆଯାଇଛି । ସୀମା ପୋଷ୍ଟଗୁଡିକରେ ଚେକିଂ ଅଭିଯାନ ଜୋରଦାର କରାଯାଇଛି । ଦିଲ୍ଲୀରେ ଯାନବାହାନର ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ମତଦାନ ଦିନ ଯେମିତି କୌଣସି ଅପ୍ରୀତିକର ଘଟଣା ନ ଘଟେ ତାକୁ ଦୃଷ୍ଟିରେ ରଖି ଗଳି କନ୍ଦିରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।
ଷ୍ଟ୍ରଙ୍ଗ ରୁମରେ କଡା ପ୍ରହରା
ମତଦାନ କେନ୍ଦ୍ରରେ ଅନେକ ସ୍ତରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ଅତି ମଜବୁତ କରାଯାଇଛି ।
୮୦ ହଜାର ସୁରକ୍ଷାକର୍ମୀ ମୁତୟନ
ନିର୍ବାଚନ ସମୟରେ ପୂରା ରାଜଧାନୀରେ ପ୍ରାୟ ୮୦ ହଜାର ସୁରକ୍ଷାକର୍ମୀଙ୍କ ମୁତୟନ କରାଯାଇଛି । ଏଥିରୁ ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ୪୫ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାରକାରୀଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି ।
୩୧୯୩ ବୁଥ ସମ୍ବେଦନଶୀଳ
ରାଜଧାନୀର ମୋଟ୍ ୧୩ ହଜାର ୭୬୬ ପୋଲିଂ ବୁଥରୁ ୩ ହଜାର ୧୯୩ ବୁଥ ସମ୍ବେଦନଶୀଳ ରହିଛି । ଏଠାରେ ସୁରକ୍ଷାର ତଦାରଖ ପାଇଁ ୪୨ ଡ୍ରୋନ ମୁତୟନ କରାଯାଇଛି । ଡ୍ରୋନ ସର୍ଭିଲାନ୍ସର ଟିମ୍ ଏହି ସବୁ ବୁଥ ଉପରେ ନଜର ରଖିବେ । ଏହା ସହିତ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।
ତ୍ରିକୋଣୀୟ ମୁକାବିଲା
ପିଟିଆଇର ରିପୋର୍ଟ ଅନୁଯାୟୀ, ଏହି ମୁକାବିଲା ଦିଲ୍ଲୀର ରାଜନୀତିକୁ ନୂତନ ରୂପ ଦେଇପାରେ । ଆପ୍ ତୃତୀୟ ଥର କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖି ଥିବା ବେଳେ ବିଜେପି ଓ କଂଗ୍ରେସ ଏହି ଗଡ ଦଖଲ କରିବା ପାଇଁ ସବୁ ବଳ ଖଟାଇ ଦେଇଛନ୍ତି । ତେଣୁ ନିର୍ବାଚନରେ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାର ସମ୍ଭାବନା ରହିଛି ।