ଭୁବନେଶ୍ୱର: ଓଡ଼ିଶାରେ ଜମି, ବାଲି, ଗୋ ଓ ଜଙ୍ଗଲ ମାଫିଆ ମାତିଛନ୍ତି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉତ୍ତର ପ୍ରଦେଶର ବୁଲଡୋଜର ପରି ଏଠାରେ ମଧ୍ୟ ସାବାଡ଼ କରାଯିବ । କାରଣ ଏହା ହେଉଛି ମୋଦୀଙ୍କ ସରକାର । ଯିଏ ବଦମାସୀ କରିବ, ତାଙ୍କୁ ସାବାଡ଼ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଏହା କହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବାଣପୁର-ଚିଲିକାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଚଳିତ ନିର୍ବାଚନ ସମୟରେ ଦେଶରେ ୧୨ଟି ରାଜ୍ୟକୁ ଗସ୍ତ କରିସାରିଛି । ସମସ୍ତେ କହୁଛନ୍ତି ପୁଣି ଥରେ ମୋଦୀ ସରକାର । ଅବ କି ବାର ୪୦୦ ପାର । ଯେତେବେଳେ ୪୦୦ ପାର କଥା ଉଠୁଛି, ଓଡ଼ିଶାରେ ବିଜେଡିକୁ ଚିନ୍ତା ହେଉଥିବ । ମୁଣ୍ଡ ବୁଲାଉଥିବ । ଏଠାରେ ୨୧ଟି ଆସନରେ ବିଜେଡି ଜିତିଲେ କେନ୍ଦ୍ରରେ ସରକାର କ’ଣ କରି ପାରିବ? ତେଣୁ କେନ୍ଦ୍ରରେ ଯିଏ ସରକାର ଗଢ଼ିପାରିବ, ତାକୁ ଭୋଟ୍ ଦିଅନ୍ତୁ । ଯିଏ ଭଗବାନ ରାମଙ୍କୁ ଆଣିଛନ୍ତି, ତାଙ୍କୁ ଆମେ ଆଣିବା ବୋଲି ପରାମର୍ଶ ଦେଇଛନ୍ତି ।
ଯୋଗୀ ୨୦୦୮ରେ ଘଟିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ହତ୍ୟାକାରୀମାନଙ୍କୁ ଓଡ଼ିଶା ସରକାର ସୁରକ୍ଷା ଦେଉଛନ୍ତି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନାହିଁ । ଓଡ଼ିଆ ଭାଷା, ସଂସ୍କୃତି ଓ ପରଂପରାକୁ ମଧ୍ୟ ଅପମାନ ଦିଆଯାଉଛି ।
ଜନସଭାରେ ଯୋଗୀ ବିରୋଧୀମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ସେ ବିଜେଡି ସହିତ କଂଗ୍ରେସ ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏଠାରେ ବିରୋଧୀମାନେ ଭାରତର ଖାଇବେ । କିନ୍ତୁ ପାକିସ୍ତାନର ଗୁଣ ଗାଇବେ । ତେଣୁ ଯିଏ ଭାରତର ଗୁଣଗାନ କରିପାରିବ ନାହିଁ, ସେମାନେ ଏଠାରେ ରହିବାର କୌଣସି ଅଧିକାର ନାହିଁ । ବିଶ୍ୱରେ ଭାରତର ସମ୍ମାନ ବଢ଼ିଛି । ଭାରତର ସୀମା ସୁରକ୍ଷିତ, ନକ୍ସଲ ଓ ଆତଙ୍କବାଦ ନିୟନ୍ତ୍ରଣରେ ରହିଛି । ଫୋଟକା ଫୁଟିଲେ ପାକିସ୍ତାନ ଡରୁଛି । ଏହା ନୂଆ ଭାରତ । ବିଜେଡିକୁ ଟାର୍ଗେଟ କରି ଯୋଗୀ କହିଛନ୍ତି, ବିକାଶର ରେଳଗାଡ଼ି ଆପଣଙ୍କୁ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିବ । ଓଡ଼ିଶାରେ ବାବୁ ରାଜ ଚାଲିଛି । ଶାସନ ବ୍ୟବସ୍ଥା ବାବୁମାନଙ୍କ ହାତରେ ରହିଛି । କିନ୍ତୁ ଗଣତନ୍ତ୍ର ବ୍ୟବସ୍ଥାରେ ଲୋକପ୍ରତିନିଧି ଶାସନ କରନ୍ତ ।
ପୂର୍ବରୁ ଯୋଗୀ କହିଥିଲେ ଯେ, ମୋର ସୌଭାଗ୍ୟ, ମୁଁ ଜଗନ୍ନାଥଙ୍କ ମାଟିରେ ପାଦ ରଖିଛି । ଆପଣଙ୍କୁ ଏହି ଜନସଭାକୁ ଅଭିନନ୍ଦନ କରୁଛି । ମୋର ସୌଭାଗ୍ୟ ଯେ, ରାମଙ୍କ ଜନ୍ମଭୂମି ଅଯୋଧ୍ୟାରୁ, ଲୀଳାଧାରୀ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ମାଟି ମଥୁରାରରୁ ଅଭିନନ୍ଦନ କରିବାକୁ ଆସିଛି । ବିଜେପିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଧନ୍ୟବାଦ ଜଣାଉଛି । ସେ ମତେ ଏଠାକୁ ଆସିବାକୁ ଅବସର ଦେଇଛନ୍ତି । ପୁରୀ ହେଉଛି ଏକ ପବିତ୍ର ନଗରୀ । ସପ୍ତପୁରୀ ମଧ୍ୟରେ ହେଉଛି ଏକ ଜଗନ୍ନାଥ ପୁରୀ । ଶଙ୍କରାଚାର୍ଯ୍ୟ ଯେଉଁ ୪ଟି ଧାମ ପ୍ରତିଷ୍ଠା କରିଥିଲେ, ସେଥିରୁ ଗୋଟିଏ ହେଉଛି ପୁରୀ ।
ମୋଦୀଙ୍କ ନେତୃତ୍ୱରେ ରେଳପଥ, ଜାତୀୟ ରାଜପଥ ଦ୍ରୁତଗତିରେ ବିକାଶ ହେଉଛି । ବିଶ୍ୱସ୍ତରୀୟ ରେଳସେବା ମୋଦୀ ସରକାର କରିଛନ୍ତି । ଆଇଆଇଟି, ଆଇଆଇଏମ୍, ଟ୍ରିପଲ ଆଇଟି, ଏମ୍ସ ପ୍ରତିଷ୍ଠା କରିଛନ୍ତି । ସେହିପରି ପ୍ରତିଘରକୁ ପାଇପ ପାଣି ଯୋଗାଇବା ସହିତ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଜନତାଙ୍କୁ ରାସନ ମାଧ୍ୟମରେ ଚାଉଳ ଯୋଗାଉଛନ୍ତି । ଉତ୍ତରପ୍ରଦେଶ ସରକାର ଡବଲ ଇଂଜିନ ସରକାରରୁ ଲୋକେ ବିପୁଳ ଲାଭ ଉଠାଉଛନ୍ତି । ଓଡ଼ିଶାରେ ନବୀନ ସରକାର ଚାକିରିଆଙ୍କ ଘେରରେ ରହିଛନ୍ତି । ମୋଦୀ ଦେଶରେ ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି । ଓଡ଼ିଶା ସରକାର ଏହି ଯୋଜନା ଲାଗୁ କରିବାକୁ ଦେଉନାହାନ୍ତି । କିଷାନ ସମ୍ମାନ ନିଧି, ଶୌଚାଳୟ, ଉଜ୍ୱଳା ଯୋଜନା ସଂଯୋଗୀକରଣ, ପିଏମ୍ ଆବାସ ଯୋଜନା କରିଛନ୍ତି । ମୋଦୀ ୧୦ ବର୍ଷରେ ଯେଉଁ ସୁବିଧା ଦେଇଛନ୍ତି, ସେଥିରେ ଦେଶର ବିକାଶ ହେଉଛି ।
ଅଯୋଧ୍ୟାରେ ରାମମନ୍ଦିର ନିର୍ବାଣ ହେବ ବୋଲି କେହି ବିଶ୍ୱାସ କରୁନଥିଲେ । କିନ୍ତୁ ଏଠାରେ ଭଗବାନଙ୍କ ରତ୍ନଭଣ୍ଡାର ଚାବି ହଜିଯାଉଛି । ଆପଣ ଅଯୋଧ୍ୟାପୁରୀ ଆସନ୍ତୁ । ଚମକପ୍ରଦ ଅଯୋଧ୍ୟା ଦେଖିବେ । ଅଯୋଧ୍ୟାରେ କେହି ଗୁଲାମି କରିପାରିବେ ନାହିଁ । ଅଯୋଧ୍ୟାରେ କେବଳ ଜୟ ଶ୍ରୀରାମ ନାରା ଲାଗୁଛି । ଦେଶରେ ୫ଟି ଦଫାରେ ମତଦାନ ହୋଇସାରିଛି ।
ଯୋଗୀ ଆଜି ଓଡ଼ିଶା ଛାଡ଼ିବା ପୂର୍ବରୁ କଟକ ଜିଲ୍ଲା ସାଲେପୁରର କୁଳିଆରେ ଜନସଭାକୁ ସମ୍ବୋଧିତ କରିବେ । ଏହି ସମାରୋହରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ । ଏହାସହିତ ୭ଟି ଯାକ ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ଉପସ୍ଥିତ ରହିବେ । ଯୋଗୀଙ୍କ ଓଡ଼ିଶା ଆଗମନ ଭାରତୀୟ ଜନତା ପାର୍ଟି ପାଇଁ ଭଲ ଫଳ ଆଣିବ ବୋଲି ଚର୍ଚ୍ଚା ହେଉଛି । ଦୁଇଟି ଯାକ ସଭାସ୍ଥଳରେ ନେତା, କର୍ମୀ ଓ ସମର୍ଥକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।