ଭୁୁବନେଶ୍ୱର: ବିଜେଡିକୁ ପୁଣି ଝଟକା । ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ସୁଜିତ କୁମାର । ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ପାଖକୁ ପଠାଇ ଦେଇଛନ୍ତି । ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିରେ ଚହଳ ପକାଇଛନ୍ତି । ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଧବଦ୍ଧ ଭାବେ ପଦ୍ମ ଧରିଛନ୍ତି । ନିଜ ଇସ୍ତଫାର କାରଣ କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ସୁଜିତ ।
ସେ କହିଛନ୍ତି, ଦୁର୍ନୀତି ନେଇ ନେତା ନ ଶୁଣିବାରୁ ସେ ଦଳ ଛାଡିଛନ୍ତି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ, ଟେଣ୍ଡର ଫିକ୍ସିଂ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଅନେକ ନେତା, ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସଂପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ଆଜି ମୁଁ ବିଜେଡି ଛାଡିଲି । ମୋ ପାଇଁ ସର୍ବଦା ମାଟି ଆଗ ଏବଂ ପାର୍ଟି ତା ପରେ ବୋଲି କହିଛନ୍ତି ସୁଜିତ କୁମାର ।
କିଛି ସମୟ ଆଗରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । ଏହା ପରେ ସେ ବିଜେଡି ଦଳ ମଧ୍ୟ ଛାଡିଥିଲେ । ି । ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଛନ୍ତି । ପ୍ରେସ ରିଲିଜ ଜରିଆରେ ବିଜେଡି ପକ୍ଷରୁ ଏହାର ସୂଚନା ଦିଆଯାଇଛି । ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିଲା । କାର୍ଯକାଳ ସରିବାର ପାଖାପାଖି ୨ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିରେ ଚହଳ ପକାଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମମତା ମହାନ୍ତ ଠିକ୍ ଅନୁରୂପ ଭାବେ ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡିଥିଲେ । ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ ପୁଣି ଥରେ ରାଜ୍ୟସଭା ସାଂସଦ ଭାବେ ଉଚ୍ଚ ସଦନକୁ ପଠାଇଛି । ଆଉ ତାଙ୍କ ରାସ୍ତାରେ ଏବେ ସୁଜିତ କୁମାର । ମମତା ଓ ସୁଜିତାଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସାଂସଦ ସଂଖ୍ୟା ୬କୁ ହ୍ରାସ ପାଇଛି ।