ଗତକାଲି ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୭୫ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । କାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରଛନ୍ତି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ହେଲେ ସେ ସିନା ବର୍ତ୍ତମାନ ଆମ ଗହଣରେ ଆଉ ନାହାନ୍ତି , କିନ୍ତୁ ତାଙ୍କ ଚକ୍ଷୁ ମାଧ୍ୟମରେ ସେ ଚିର ଦିନ ପାଇଁ ଦୁନିଆରେ ଅମର ରହିବେ | ଗତକାଲି ତାଙ୍କର ଆଖିକୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆର ସୁନ୍ଦର ଦୃଶ୍ୟକୁ ଦେଖିପାରିବେ ଆଉ ଦୁଇଜଣ । ସୂର୍ଯ୍ୟପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ଆସି ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଆଖିର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଙ୍କ ମୃତ୍ୟୁ ପରେ ମଧ୍ୟ ଚକ୍ଷୁ ଦାନ କରାଯାଇଥିଲା ।
ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ସକାଳ ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ଆସି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିଥିଲେ । ତାପରେ ତାଙ୍କର ପାର୍ଥିବ ଶରୀରକୁ ବ୍ରହ୍ମପୁର ଦେଇ ତାଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିକୁ ନିଆଯାଇଛି । ସେଠାରେ ଅପରାହ୍ନ ୩ଟା ବେଳେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ସୂଚନା ଦେଇଛନ୍ତି ।