ଭୁୁବନେଶ୍ୱର: ନିକଟରେ ଅସୁସ୍ଥ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଦେଖା କରିବାକୁ କାହାକୁ ନ ଛାଡିବା, କେବଳ ଭିକେ ପାଣ୍ଡିଆନ ଏବଂ ସୁଜାତା ପାଣ୍ଡିଆନ ରହିବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏପରିକି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ନବୀନଙ୍କ ପାଖରେ ପାଣ୍ଡିଆନଙ୍କୁ ବାଦ୍ ଦେଲେ ବିଜେଡିର ଅନ୍ୟ କୌଣସି ନେତାଙ୍କୁ ଦେଖିବାକୁ ମିଳି ନ ଥିଲା । ଅନ୍ୟପଟେ ମେଡିକାଲ୍ ଭିତରେ ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡିର କିଛି ବରିଷ୍ଠ ନେତାଙ୍କ ସହ ବସି ଆଲୋଚନା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଏବେ ଚର୍ଚ୍ଚା ସୁଜାତା ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇପାରେ । ଏହାକୁ ନେଇ ବିଜେଡି ଦଳ ଭିତରେ ଗୁଞ୍ଜରଣ ଆରମ୍ଭ ହୋଇଛି । ଏହାକୁ ନେଇ ବିଜେଡି ଏବେ ସମାଲୋଚିତ । ତେବେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ପାଣ୍ଡିଆନ ଦମ୍ପତିଙ୍କ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ପାଣ୍ଡିଆନ ଦମ୍ପତି ନବୀନଙ୍କ ସେବା କରୁଛନ୍ତି । ମୋ ନେତାଙ୍କ ସେବା କରୁଥିବାରୁ ପାଣ୍ଡିଆନ ଦମ୍ପତିଙ୍କୁ ଧନ୍ୟବାଦ । ନବୀନଙ୍କ ଉତ୍ତରାଧିକାରୀ କଣ ପାଣ୍ଡିଆନ ହେବେ ? ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି ଯେ, ନବୀନ ବାବୁ ଓ ଦଳ ଏହା ଉପରେ ନିଷ୍ପତ୍ତି ନେବେ । ପାଣ୍ଡିଆନ ଦକ୍ଷ ହୋଇ ନ ଥିଲେ ଗ୍ରହଣୀୟ ହୋଇ ନ ଥାନ୍ତେ ।
ସେ ଏହା ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନ ଦମ୍ପତି ନବୀନଙ୍କୁ ନିଜର ପୁଅ ଭଳି ସେବା କରୁଛନ୍ତି । ନବୀନ ବାବୁ ମଧ୍ୟ ତାଙ୍କ ଉପରେ ଭରସା କରୁଛନ୍ତି । ଏଥିରେ କୌଣସି ଅସୁବିଧା ନାହିଁ । ନବୀନ ଯାହାଙ୍କୁ ଉତ୍ତରାଧିକାରୀ ବାଛିବେ ଦଳ ତାଙ୍କୁ ଗ୍ରହଣ କରିବ । ଦଳ ହାରିବା ପରେ ପାଣ୍ଡିଆନ ଦାୟୀ ନୁହନ୍ତି । ତାଙ୍କ ପାଇଁ ଦଳ ହାରିଲା ବୋଲି ଚର୍ଚ୍ଚା କରିବା ଅମୂଳକ । ଆମେ ଲୋକଙ୍କ ଗ୍ରହଣନୀୟ ହେଲୁ ନାହିଁ ବୋଲି ହାରିଲୁ । ଏଥିରେ ପାଣ୍ଡିଆନଙ୍କ କୌଣସି ଦୋଷ ନାହିଁ ବୋଲି ବିକ୍ରମ କହିଛନ୍ତି ।