ଭୁବନେଶ୍ବର: ନବୀନ-ପାଣ୍ଡିଆନଙ୍କୁ ସୌମ୍ୟଙ୍କ ତେରଚ୍ଛା ବାଣ । ଗୀତଗୋବିନ୍ଦ ସଦନରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ମୂଳ ଲେଖା ‘ନବୀନ ପଟ୍ଟନାୟକ' ଶୀର୍ଷକ ପୁସ୍ତକର ଓଡ଼ିଆ ରୂପାନ୍ତର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ୨୦୦୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଅନ୍ଧଭକ୍ତର ପ୍ରେମ କାହାଣୀ ଚାଲିଥିଲା । ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଏକତରଫା ପ୍ରେମ କରିଥିଲେ। ନବୀନ ବାବୁ ବେଶ୍ ଚାଲାକ ଓ ଜାଣି ସିଆଣିଆ ଲୋକ ବୋଲି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ଏହି ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ପାଣ୍ଡିଆନ୍ ଏବଂ ନବୀନଙ୍କ ସମ୍ପର୍କ ନେଇ ଟାର୍ଗେଟ୍ କରିଥିଲେ ସୌମ୍ୟରଞ୍ଜନ। ଏନେଇ ସୌମ୍ୟ କହିଥିଲେ, 5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି। ଏହି ପାପକୁ ଧୋଇବା ପାଇଁ ବିଜେଡିକୁ ଆଉ ୫ରୁ ୧୦ ବର୍ଷ ଲାଗିବ। ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟକୁ ଜଣାଇବା ପାଇଁ ସପ୍ତାହ ଭିତରେ ୨ଟି ପୁସ୍ତକ ପ୍ରକାଶ ପାଇଛି । ବହିରେ ଗୋଟିଏ ଚାପ୍ଟର ରହିଛି, ‘ପାଣ୍ଡିଆନ୍ କୁହୁକ’। ହେଲେ ପାଣ୍ଡିଆନ୍ ଏତେ କ୍ଷମତା ପାଇଲେ କେଉଁଠୁ? ଦୋଷ କରିବ ଜଣେ, ଦଣ୍ଡ ପାଇବ ଆଉ ଜଣେ । ଏଥି ସହିତ ସେ ପଚାରିଛନ୍ତି ‘ପାଣ୍ଡିଆନ୍ଙ୍କୁ ଏଭଳି କ୍ଷମତାର ଅଧିକାରୀ କରିଥିଲା କିଏ’? ଯେଉଁମାନେ ତାଙ୍କୁ ଗ୍ରହଣ କରି କ୍ରୀତଦାସ ସାଜିଥିଲେ ସେମାନେ ଏବେ ଲୁଚୁଛନ୍ତି କାହିଁକି ବୋଲି କହି ପ୍ରଚ୍ଛଦପଟ୍ଟରେ ଥାଇ ପାଣ୍ଡିଆନଙ୍କୁ ସମର୍ଥନ ଦେଇଥିବା ନେତାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ସୌମ୍ୟ।
ଅଧିକ ପଢନ୍ତୁ: ଏଥର ଜନତାଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍; ସରକାରୀ ସୁବିଧା ଲୋକଙ୍କୁ ମିଳୁଛି କି ନାହିଁ, ମତାମତ ନେବେ ମୋହନ ସରକାର
ସେ କହିଥିଲେ ଯେ, ନବୀନ ସବୁବେଳେ ବିନା ଦାଗ ବା ସ୍ବଚ୍ଛ ଛବି ତିଆରି କରିବାକୁ ଉଦ୍ୟମ କରୁଥିଲେ। ନବୀନ ବାବୁ ୨ଟି ପର୍ଯ୍ୟାୟରେ କ୍ଷମତା ହସ୍ତାନ୍ତର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ୟାରୀଙ୍କୁ, ୨ୟ ପର୍ଯ୍ୟାୟରେ ଶହେ ଭାଗ ପାଣ୍ଡିଆନଙ୍କୁ କ୍ଷମତା ଦେଇଥିଲେ। ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଅପବାଦ ଥିଲା। ଫଳରେ ଏଥର ନିର୍ବାଚନରେ ପ୍ରତିକୂଳ ଜନାଦେଶର ସାମ୍ନା କରିବାକୁ ବାଧ୍ୟ ହେଲେ। ମୁଁ ଏଥୁରେ ପାଣ୍ଡିଆନଙ୍କୁ ଦୋଷ ଦେବିନି। ଯିଏ କ୍ଷମତା ଦେଲେ ସେ ଦାୟୀ। କାରଣ ନିର୍ବାଚନ ଫଳାଫଳ ଆସିବା ପରେ ସମସ୍ତେ କହିଲେ, ବିଜେଡି ଦୁର୍ବିପାକ ପାଇଁ ପାଣ୍ଡିଆନ୍ ଦାୟୀ, ହେଲେ ତାଙ୍କ ନେତା ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଇଲେ, ବିପର୍ଯ୍ୟୟ ପାଇଁ ଦୋଷୀକୁ ଦଣ୍ଡ ନଦେଇ ଅନ୍ୟ ଉପରେ ଦୋଷ ଲଦିବା ନବୀନ ବାବୁଙ୍କର ଆଉ ଏକ ଧୁର୍ତ୍ତ ରାଜନୀତି ବୋଲି କହିଛନ୍ତି ସୌମ୍ୟ । ଏଥିସହିତ ନବୀନଙ୍କ ଅସୁସ୍ଥତା ପ୍ରସଙ୍ଗରେ କହିଛନ୍ତି ତାଙ୍କୁ ହସ୍ପିଟାଲରେ ଦେଖିବାକୁ ଯାଇ ବିଜେଡ଼ିର ନେତା ଯେଉଁ ଅପଦସ୍ତ ହୋଇଛନ୍ତି, ମୁଁ ସେଭଳି ହେବାକୁ ଚାହୁଁନାହିଁ । ତେବେ ସୌମ୍ୟଙ୍କ ନିଶାନା ନେଇ ନବୀନ, ପାଣ୍ଡିଆନ୍ କିମ୍ବା ବିଜେଡ଼ିର ପ୍ରତିକ୍ରିୟା ମିଳିପାରିନି ।