ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆରଏସଏସର ପ୍ରାର୍ଥନା ପଢିବା ନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ମାଗିଛନ୍ତି । ସେ କଂଗ୍ରେସର ରାଜ୍ୟ ସଭାପତି ମଧ୍ୟ । ତେବେ ବିରୋଧୀ ବିଚାରଧାରା ବିଶିଷ୍ଟ ସଂଗଠନର ପ୍ରାର୍ଥନା ଶୁଣାଇବା ନେଇ ନିଜ ଦଳରେ ସମାଲୋଚନାର ଶିକାର ହାଇଛନ୍ତି ଶିବକୁମାର । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗୋଷ୍ଠୀର ଲୋକେ ମଧ୍ୟ ଶିବକୁମାରଙ୍କୁ ସମାଲୋଚନା କରିଥିଲେ ଏବଂ ହାଇକମାଣ୍ଡଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଏହି ସବୁ ବିବାଦ ବଢୁଥିବା ଦୃଷ୍ଟିରେ ରଖି ଶିବକୁମାର କ୍ଷମା ମାଗିଛନ୍ତି । ସେ କହିଛନ୍ତି ରାଜ୍ୟ ବିଧାନସଭାରେ ସଂଗଠନର ଗୀତ ଗାଇବାରୁ ଯଦି କାହାରି ଭାବନାକୁ ଆଘାତ ଲାଗିଛି ତେବେ ସେ କ୍ଷମା ମାଗୁଛନ୍ତି । ସେ ଜଣେ କଂଗ୍ରେସୀ ଏବଂ ମରିବା ପର୍ଯ୍ୟନ୍ତ କଂଗ୍ରେସ ହୋଇ ରହିବେ ।
ଶିବକୁମାର କର୍ଣ୍ଣାକଟକ ରାଜ୍ୟ କଂଗ୍ରେସ ସଭାପତି । ହେଲେ ବିଧାନସଭାରେ ଆରଏସଏସର ପ୍ରାର୍ଥନା ଗୀତ ଗାଇ ସଭିଙ୍କୁ ଚକିତ କରି ଦେଇଥିଲେ । ଶିବକୁମାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଜୁନ ୪ରେ ହୋଇଥିବା ଦଳଚକଟା ଉପରେ ଅଗଷ୍ଟ ୨୧ରେ ବିଧାନସଭାରେ ଆଲୋଚନା ସମୟରେ ଆରଏସଏସର ପ୍ରାର୍ଥନା ଗୀତ ନମସ୍ତେ ସଦା ବତ୍ସଳେ...ର କିଛି ଧାଡି ଗାଇଥିଲେ ।
ସେ ଏହା ମଧ୍ୟ କହିଛନ୍ତି, ଯଦି ଆପଣମାନେ କ୍ଷମା ଚାହୁଁଛନ୍ତି ତେବେ କ୍ଷମା ମାଗିବାକୁ ପ୍ରସ୍ତୁତ । ମୋର ଏମିତି ଗୀତ ଗାଇବା ଦ୍ୱାରା ଦଳ ଏବଂ ଇଣ୍ଡିଆ ମେଣ୍ଟର ନେତାଙ୍କୁ ଆଘାତ ଲାଗିଛି । ଯଦି ଆପଣଙ୍କୁ ଲାଗୁଛି ମୁଁ କିଛି ଭୁଲ୍ କରିଛି, ତେବେ ମୁଁ କ୍ଷମା ମାଗିବାକୁ ପ୍ରସ୍ତୁତ । କଂଗ୍ରେସ ପାର୍ଟି ଓ ଗାନ୍ଧୀ ପରିବାର ପ୍ରତି ମୋର ବିଶ୍ୱସନୀୟତା ଉପରେ କେହି ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ । ମୁଁ ଜନ୍ମରୁ କଂଗ୍ରେସ ଏବଂ ମରିବା ପର୍ଯ୍ୟନ୍ତ କଂଗ୍ରେସ ହିଁ ରହିବି ।