ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଆକସ୍ମିତ ମୃତ୍ୟୁ ପରେ ଏନସିପିର ନେତୃତ୍ୱ କିଏ ନେବ ଏହାକୁ ନେଇ ସ୍ଥିତି ଆପାତଃ ସ୍ପଷ୍ଟ ହୋଇ ଯାଇଛି । ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାର ଦେବେନ୍ଦ୍ର ଫଡଣଭିସଙ୍କ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିଛନ୍ତି । ସେ ଶନିବାର ସନ୍ଧ୍ୟାରେ ଶପଥ ନେଇ ପାରନ୍ତି । ବର୍ତ୍ତମାନ ସୁନେତ୍ରା ରାଜ୍ୟସଭାର ସାଂସଦ ଅଛନ୍ତି ।
ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସୁନେତ୍ରାଙ୍କୁ ରାଜ୍ୟସଭା ପଦ ଛାଡିବାକୁ ପଡିବ । ଏନସିପି ପାର୍ଟିର ସୂତ୍ର ଅନୁଯାୟୀ, ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ପରେ ଖାଲି ରାଜ୍ୟସଭା ପଦରେ ଅଜିତ ପାୱାରଙ୍କ ବଡ ପୁଅ ପାର୍ଥଙ୍କୁ ତାଙ୍କ ମାଆ ଜାଗାରେ ରାଜ୍ୟସଭାକୁ ପଠାଇବାକୁ ପ୍ରସ୍ତୁତି ଚାଲିଛି । ସୁନେତ୍ରା ପାୱାର ଶୁକ୍ରବାର ଏନସିପିର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସୁନେତ୍ରାଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ସମାରୋହ ଶନିବାର ସନ୍ଧ୍ୟା ୫ଟାରେ ରାଜଭବନରେ ଆୟୋଜିତ ହେବ । ଏହା ସହିତ ପୁଣେ ଜିଲ୍ଲାର ବାରାମତୀ ବିଧାନସଭା ସିଟରୁ ସେ ଉପନିର୍ବାଚନ ଲଢିବେ । କାରଣ ତାଙ୍କ ସ୍ୱାମୀ ଅଜିତ ପାୱାରଙ୍କ ନିଧନ ପରେ ବାରାମତୀ ଆସନ ଖାଲି ହୋଇ ଯାଇଛି ।
ସୂତ୍ର ଅନୁଯାୟୀ, ପ୍ରଫୁଲ ପଟେଲଙ୍କୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରେ । ତେବେ ଏନସିପି ନେତାଙ୍କ ଏକ ବଡ ବର୍ଗଙ୍କ ମତରେ ସୁନେତାଙ୍କୁ କେବଳ ଉପମୁଖ୍ୟମନ୍ତ୍ରୀ ନୁହେଁ ବରଂ ପାର୍ଟିର ଦାୟିତ୍ୱ ମଧ୍ୟ ସମ୍ଭାଳିବା ଉଚିତ୍ । ଏଥିରେ ଏନସିପିର ଦୁଇ ଗୋଷ୍ଠୀ ପୁଣି ଥରେ ଏକାଠି ହେବାର କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଛି । କୁହାଯାଉଥିଲା ଅଜିତ ପାୱାରଙ୍କ ପରଲୋକ ପରେ ତାଙ୍କ ନେତୃତ୍ୱାଧୀନ ଏନସିପି ଶରଦ ପାୱାରଙ୍କ ଏନସିପିରେ ବିଲୟ ହୋଇପାରେ ।
Also read: ଆସାମରେ ସାତ ଜିଲ୍ଲାରେ ହିଁ ୬୪ ଲକ୍ଷ ଅନୁପ୍ରବେଶକାରୀ, ଶାହ କହିଲେ- ପୂରା ଡେମୋଗ୍ରାଫି ବଦଳିଗଲା