୧୯ ବର୍ଷର ପୁଅ ଟିଏ ପରିବାର ପ୍ରତିପୋଷଣ ପାଇଁ ଯୋଗ୍ୟ ହୋଇଥାଏ, ମାତ୍ର ୧୯ ବର୍ଷ ଶାସନ ପରେ ବି ନବୀନ ଯୋଗ୍ୟ ହୋଇ ପାରିଲେ ନାହିଁ
Khabar Odisha:Politics-Odisha-Dharmendra-Pradhan-slams-Naveen-Patnaik-in-election-campaign-in-Tirtol
ପାରାଦୀପ/ତିର୍ତୋଲ, ଏପ୍ରିଲ୨୧(ଖବର ଓଡ଼ିଶା):

ଜଗତସିଂହପୁରର ତିର୍ତ୍ତୋଲରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।  ସେ କହିଛନ୍ତି ଯେ, ୧୯ ବର୍ଷର ପୁଅ ଟିଏ ପରିବାର ପ୍ରତିପୋଷଣ ପାଇଁ ଯୋଗ୍ୟ ହୋଇଥାଏ,  ମାତ୍ର ୧୯ ବର୍ଷ ଶାସନ ପରେ ବି ନବୀନ ଯୋଗ୍ୟ ହୋଇ ପାରିଲେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

 ସେ କହିଛନ୍ତି ଯେ ଓଡିଶାରେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନର ସରକାର ହେଲେ ଆଗାମୀ ୫ ବର୍ଷ ଭିତରେ ବିଶ୍ୱ ବଜାରର ସବୁଠୁ କେନ୍ଦ୍ରସ୍ଥଳ ପାରାଦୀପ ହେବ । ଏଠାରେ ଓଡିଆ ଯୁବକ କେବଳ କାମ କରିବ ନାହିଁ, ମାଲିକ ହୋଇ କାମ ମଧ୍ୟ ଦେବ ବୋଲି ଜଗତସିଂହପୁର ଜିଲ୍ଲାର ପାରାଦୀପ ଓ ତର୍ତୋଲ ନିର୍ବାଚନ ମଣ୍ଡଳିର କୁଜଙ୍ଗ ଏବଂ ତେନ୍ତୁଳିପଡାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ସେହିପରି ପାରାଦୀପରେ ଏୟାରପାର୍ଟ ବନାଯାଉଥିବା ବେଳେ ବିଜେପି ସରକାର ହେଲେ ପାରାଦୀପକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ । ଏଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ପାରାଦୀପକୁ ଏକ ନୈସର୍ଗିକ ସହର ଭାବରେ ପରିଣତ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ବିଜେପି କ୍ଷମତାକୁ ଆସିଲେ ପାରାଦୀପରେ ଗୁଣ୍ଡାକୁ ଆକଟ କରିବା ପାଇଁ ଗୁଣ୍ଡା ବିରୋଧୀ ଆଇନ କରାଯିବ, ଏହି ଆଇନରେ ପୋଲିସକୁ ଅଧିକାର ଦିଆଯାଇ ଗୁଣ୍ଡାଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ । ୧୫ ବର୍ଷର ଝିଅ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅତ୍ୟାଚାରୀକୁ ଫାଶୀଦଣ୍ଡ ଦିଆଯିବ । ଏତଦବ୍ୟତିତ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସମ୍ପତିକୁ ବାଜ୍ୟାପ୍ତ କରି ଉକ୍ତ ଅର୍ଥରେ ଧର୍ମଶାଳା, ସରକାରୀ ସ୍କୁଲ, ଡାକ୍ତରଖାନା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲାଯିବ, ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହଛନ୍ତି ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ପଟେ ୧୯ ବର୍ଷର ଶାସନ ଓ ଅନ୍ୟପଟେ ୫ ବର୍ଷର ସେବା। ୧୯ ବର୍ଷର ଲମ୍ବା ଶାସନରେ ଏ  ଅଂଚଳର ସବୁ ଗାଁକୁ ପାଇପ ଯୋଗେ ଶୁଦ୍ଧ ପିଇବା ପାଣି ଯାଇନାହିଁ, ଜଳ ସେଚନର ବ୍ୟବସ୍ଥା ନାହିଁ, ସରକାରୀ ଦରମା ପ୍ରାପ୍ତ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ରୋଜଗାର ନପାଇ ଯୁବକ ବାହାରକୁ କାମ  କରିବାକୁ ଯାଉଛି, ବନ୍ଦର କଳାକାରଖାନା ଥିବା ପରେ ମଧ୍ୟ ଯୁବକ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଛି । ଏ ବ୍ୟବସ୍ଥା ନକରି ରାଜ୍ୟ ସରକାର ୧୯ ବର୍ଷର ଦମ୍ଭ ଦେଖାଉଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ  ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ମୋଦି ଘର ଓ ଶୌଚାଳୟ ପିଛା ଟଙ୍କା ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।   

ସେ କହିଛନ୍ତି ଯେ ୧୯ ବର୍ଷର ପୁଅଟିଏ ପରିବାର ପ୍ରତିପୋଷଣ ପାଇଁ ଯୋଗ୍ୟ ହୋଇଥାଏ । ମାତ୍ର ୧୯ ବର୍ଷ ଶାସନ ପରେ ମଧ୍ୟ ନବୀନ ବାବୁ ଯୋଗ୍ୟହୋଇପାରିଲେ ନାହିଁ । 

ସେ କହିଛନ୍ତି ଯେ ଏହି ନିର୍ବାଚନ ସାଂସଦ ଓ ବିଧାୟକ ପାଇଁ ନୁହେଁ, ଚାଷୀ, ଯୁବପିଢୀ, ରାଜ୍ୟକୁ କିଏ ଆଗକୁ ନେବ, ପାରାଦୀପ ଓ ଜଗତସିଂହପୁରକୁ କିଏ ଅଗ୍ରଣୀ ଅଂଚଳ କରିବ, ମହିଳାଙ୍କ ସୁରକ୍ଷା, ଦେଶର ସୀମାକୁ କିଏ ସୁରକ୍ଷିତ ରଖିବ, ତାହାର ନିର୍ବାଚନ । ଗୋଟିଏ ପଟେ ବିକାଶ ଅନ୍ୟପଟେ ପ୍ରତାରଣା । ୧୯ ବର୍ଷର ଅପାରଗ, ଦୁର୍ନୀତିଗ୍ରସ୍ତ, ଶ୍ରମିକ ବିରୋଧୀ, ଚିଟଫଣ୍ଡଖିଆ, ଖଣି ଦୁର୍ନୀତି, ମହିଳା ବିରୋଧୀ, ଓଡିଶାର ସ୍ୱାଭିମାନକୁ ଭୂଲୁଣ୍ଠିତ କରିଥିବା ରାଜ୍ୟ ସରକାରକୁ ବଦଳାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

  • Tags:

Subscribe

National International State Sports Entertainment