ନୂଆଦିଲ୍ଲୀ, ଜୁନ୍ ୨୨ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ରାଜନୈତିକ ନାଟକ ଜାରି ରହିଛି । ମହାରାଷ୍ଟ୍ର ଶିବସେନା ନେତା ଏକନାଥ ଶିନ୍ଦେଙ୍କ ସହିତ ମୋଟ ୪୦ ଜଣ ବିଧାୟକ ମଙ୍ଗଳବାର ବିଳମ୍ବିତ ରାତିରେ ସୁରତର ହୋଟେଲରୁ ବାହାରି ୩ଟି ବସ୍ ଯୋଗେ ସ୍ଥାନୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ଏଠାରୁ ସେମାନେ ଏକ ଚାଟାର୍ଡ ବିମାନରେ ଗୁଆହାଟୀ ଯାଇଛନ୍ତି । ମୋଟ ୪୦ ଜଣଙ୍କର ମଧ୍ୟରେ ଶିବସେନାର ୩୩ ସହିତ ସ୍ୱାଧୀନ ଓ ଛୋଟ ଦଳର ୭ ଜଣ ବିଧାୟକ ଅଛନ୍ତି ।
ବିଦ୍ରୋହୀ ବିଧାୟକଙ୍କ ସହିତ ଏକନାଥ ଶିନ୍ଦେ ଓ ବିଜେପି ନେତା ମୋହିତ କାମ୍ବୋଜ ମଧ୍ୟ ଦେଖାଯାଇଥିଲେ । ଗୁଆହାଟୀ ଯିବା ପୂର୍ବରୁ ଏକନାଥ ଶିନ୍ଦେଙ୍କୁ ଜାତୀୟ ଗଣମାଧ୍ୟମର ପ୍ରତିନିଧି ପଚାରିଥିଲେ ଯେ, ସେ କ’ଣ ଶିବସେନା ଛାଡ଼ିଦେଇଛନ୍ତି? ସେ କେବଳ ମୁଣ୍ଡ ହଲାଇଥିଲେ । ରାତି ୨ଟା ୧୫ ମିନିଟରେ ବିଦ୍ରୋହୀ ବିଧାୟକମାନେ ସୁରତର ହୋଟେଲ ରୁମ ଛାଡ଼ିଥିଲେ । ସୁରତ ପୋଲିସର ୧୫ରୁ ଅଧିକ ଏକ୍ସକର୍ଟ ବାହନ ଓ ୩ଟି ବସରେ ବିଧାୟକମାନଙ୍କୁ ବିମାନବନ୍ଦର ନିଆଯାଇଥିଲା । ବିଧାୟକମାନେ କହିଛନ୍ତି ଯେ, ଆମେ ଏକନାଥ ଶିନ୍ଦେଙ୍କ ସହିତ ଅଛୁ । ଆମକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପସନ୍ଦ ନାହିଁ ।