ନୂଆଦିଲ୍ଲୀ, ଜୁଲାଇ ୧୧ (ଖବର ଓଡ଼ିଶା): ମହାରାଷ୍ଟ୍ର ପରେ ଗୋଆରେ ରାଜନୀତି ଭିନ୍ନ ମୋଡ଼ ନେଇଛି । କଂଗ୍ରେସର ୧୧ରୁ ୫ ଜଣ ବିଧାୟକ ଅମଙ୍ଗ ହୋଇଥିବା ନେଇ ଜଣା ପଡ଼ିବା ପରେ ଦଳ ସକ୍ରିୟ ହୋଇଛି । କଂଗ୍ରେସ ବିଧାୟକ ଦଳର ନେତା ପଦରୁ ମାଇକେଲ ଲୋବୋଙ୍କୁ ହଟାଇବା ନେଇ ଘୋଷଣା ହେବା ପରେ ଅଧରାତିରେ ଗୋଆ କଂଗ୍ରେସ ଭବନରେ ବିଧାୟକ ଦଳର ବୈଠକ ହୋଇଛି । ଏହି ବୈଠକରେ କଂଗ୍ରେସ ବିଧାୟକ ଦଳର ନେତା ପଦରୁ ମାଇକେଲ ଲୋବେଙ୍କୁ ହଟାଇବା ଉପରେ ଔପଚାରିକ ମୋହର ଲାଗିଛି ।
କଂଗ୍ରେସ ବିଧାୟକ ଦଳର ବୈଠକ ପରେ ଗୋଆ କଂଗ୍ରେସର ଅଧ୍ୟକ୍ଷ ଅମିତ ପାଟକର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମାଇକେଲ ଲୋବୋଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇବା ନେଇ ପ୍ରସ୍ତାବ ଉପରେ ପାର୍ଟିର ୫ ବିଧାୟକଙ୍କ ଦସ୍ତଖକ କରାଯାଇଛି । ଗୋଆ କଂଗ୍ରେସ ସଭାପତି ମଧ୍ୟ କହିଛନ୍ତି ଯେ, ବିଧାନସଭା ଅଧିବେଶନ ଆରମ୍ଭରୁ ପାର୍ଟିର ବିଧାୟକ ଦଳର ନୂଆ ନେତା ଚୟନ କରାଯିବ ।
ଗୋଆରେ ବିଧାନସଭା ନିର୍ବାଚନର ୪ ମାସ ପରେ ଦେଖାଯାଇଥିବା ସଂକଟ ପରେ କଂଗ୍ରେସ ସକ୍ରିୟ ହୋଇଯାଇଛି । କଂଗ୍ରେସ ପାର୍ଟିର ଶ୍ରେଷ୍ଠ ନେତୃତ୍ୱ ରାଜନୈତିକ ସଂକଟକୁ ଦୃଷ୍ଟିରେ ରଖି ମୁକୁଲ ବାସନିକ ଗୋଆ ଗସ୍ତ କରିବେ ।