ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡ଼ିଶା): ବିଜେପିଠାରୁ ଅଲଗା ହୋଇ ଜେଡିୟୁ ମହାମେଣ୍ଟର ସରକାର ଗଢ଼ିଛି । ଏବେ ବିହାର ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି କରିଛି । ଆଗାମୀ ଲୋକସଭା ନିର୍ବାଚନରେ ପାର୍ଟି କିଭଳି ଭାବେ ରଣନୀତି କରିବ ସେ ନେଇ ମଙ୍ଗଳବାର ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ହୋଇଛି । ଏହି ବୈଠକରେ ଜେପି ନଡ୍ଡା ଓ ଅମିତ ଶାହ ପହଞ୍ଚିଥିଲେ । ବିହାର ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।
ବୈଠକର ଅସଲ ଉଦ୍ଦେଶ୍ୟ ଥିଲା ବିହାରର ବର୍ତ୍ତମାନ ସ୍ଥିତିକୁ ପ୍ରଥମେ ଭଲ ଭାବରେ ବୁଝିବା ଏବଂ ପରିସ୍ଥିତିକୁ ମୁକାବିଲା କରିବା । ଏହା ବ୍ୟତୀତ ପାର୍ଟି ଜୋର ଦେଇଛି ଯେ, ୨୦୨୪ ଲୋକସଭା ନିର୍ବାଚନରେ ୩୫ଟି ଆସନରେ ବିଜୟ ହାସଲ କରିବା ।
ସୂଚନାଯୋଗ୍ୟ ବିହାରରେ ମୋଟ ୪୦ଟି ଲୋକସଭା ସିଲ ରହିଛି । ୨୦୧୯ର ନିର୍ବାଚନରେ ବିଜେପି ଜେଡିୟୁ ସହିତ ମିଶି କ୍ଲିନ ସୁଇପ କରିଥିଲା । ବିହାରରେ ଏନଡିଏକୁ ୩୯ଟି ସିଟରେ ବିଜୟ ମିଳିଥିଲା । କିନ୍ତୁ ଏବେ ଜେଡିୟୁ ଅଲଗା ହେବା ପରେ ପରିସ୍ଥିତି ବଦଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଉପରେ ଭରସା କରି ବିହାର ଜନତା ୨୦୧୯ ଲୋକସଭା ନିର୍ବାଚନରେ ଭୋଟ ଦେଇଥିଲେ । ତେବେ ୨୦୨୪ରେ ମଧ୍ୟ ବିହାରର ଜନତା ପୁଣି ଥରେ ବିଜେପି ଉପରେ ଭରସା ରଖିବେ ବୋଲି ଆଶା କରାଯାଉଛି ।
ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିହାର ବିଜେପି ସଭାପତି ସଂଜୟ ଜୟସ୍ୱାଲ କହିଛନ୍ତି, ମହାମେଣ୍ଟ ସରକାର ଲୋକଙ୍କୁ ଧୋକା ଦେଇଛି । ବିଜେପି ଜୋରଦାର ଲଢ଼େଇ କରିବ । ପାର୍ଟିର ଲକ୍ଷ୍ୟ ହେଲା ଯେ, ୨୦୨୪ ଲୋକସଭା ନିର୍ବାଚନରେ ୩୫ଟି ଆସନରେ ଜିତିବା ।