ବିଧାନସଭା ନିର୍ବାଚନ ପୂର୍ବରୁ ରଥଯାତ୍ରା ପାଇଁ ବିଜେପିର ପ୍ରସ୍ତୁତି, ପଶ୍ଚିମବଙ୍ଗ ସରକାରଙ୍କୁ ମାଗିଲା ଅନୁମତି
Khabar Odisha:Politics-BJP-asks-permission-from-West-Bengal-government-for-Rath-Yatra

କୋଲକାତା, ଫେବୃଆରୀ ୦୨ (ଖବର ଓଡ଼ିଶା): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଆୟୋଜନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖା ମମତା ବାନାର୍ଜୀ ସରକାରଙ୍କୁ ରଥଯାତ୍ରା ବାହାର କରିବାକୁ ଅନୁମତି ମାଗିଛି । ରାଜ୍ୟ ବିଜେପି ଉପସଭାପତି ପ୍ରତାପ ବାନାର୍ଜୀ ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟଙ୍କୁ ଏକ ଲିଖିତ ପତ୍ରରେ କହିଛନ୍ତି ଯେ, ବିଜେପି ଫେବୃଆରୀ ମାସର ଆରମ୍ଭରୁ ‘ରଥଯାତ୍ରା’ ଭାବେ ରାଜ୍ୟରେ ୫ଟି ରାଲି କରିବାକୁ ଆଗ୍ରହ ପ୍ରକାଶ କରିଛି । ପତ୍ରରେ କୁହାଯାଇଛି ଯେ, ବିଜେପି ଶାଖା ଫେବୃଆରୀ ଓ ମାର୍ଚ୍ଚ ମାସରେ ରଥଯାତ୍ରା ଭାବେ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ରାଜନୈତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । 

୫ଟି ପର୍ଯ୍ୟାୟରେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଭ୍ରମଣ କରାଯିବ । ପ୍ରତ୍ୟେକ ଯାତ୍ରାରେ ଏକ ରଥ ସାମିଲ ହେବ ଏବଂ ଗୋଟିଏ ସମୟରେ ରାଜ୍ୟର ବିଭିନ୍ନ ଅଂଚଳ ଏବଂ କ୍ଷେତ୍ରକୁ ଯିବ । ପ୍ରତ୍ୟେକ ଯାତ୍ରାର ସମୟ ୨୦ରୁ ୨୫ ଦିନ ହେବ । ବିଜେପିର ଅନେକ ବରିଷ୍ଠ ନେତା ମାସବ୍ୟାପୀ ଅଭିଯାନ ଲାଗି ପଶ୍ଚିମବଙ୍ଗ ଆସିବାର ଅଛି ଏବଂ ଅଭିଯାନ ନବଦ୍ୱୀପ, କୁଚବିହାର, କାକଦ୍ୱୀପ, ଝାରଗ୍ରାମ ଓ ତାରାପୀଠରୁ ଫେବୃଆରୀ ୬, ୮ ଓ ୯ ତାରିଖରୁ ଆରମ୍ଭ ହେବ । ସୂତ୍ର ଅନୁସାରେ ରାଜ୍ୟ ସଚିବାଳୟକୁ ପତ୍ର ମିଳିଯାଇଛି । 

 

  • Tags:

Subscribe

National International State Sports Entertainment