କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ସଙ୍ଗୀନ ଅଭିଯୋଗ କଲେ କଟକ ଜ଼ିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମାନସ ରଞ୍ଜନ ଚୌଧୁରୀ । ଚଳିତ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ବିଜେଡିଠୁ ଟଙ୍କା ନେଇ ବାରମ୍ବାର ଦଳୀୟ ଟିକେଟ୍ ପରିବର୍ତ୍ତନ କରିଛନ୍ତି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ।
ସେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ଧରି କଂଗ୍ରେସ ଦଳରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଆସୁଅଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ବହିଷ୍କାର କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି | ଦଳର ଏହି କାର୍ଯ୍ୟାନୁଷ୍ଠାନ ମୋତେ ବିସ୍ମିତ କରିଛି । ଓଡିଶାରେ ଯେଉଁ ରାଜନୈତିକ ବାତାବରଣ ଥିଲା ସେଥିରୁ ସ୍ପଷ୍ଟ ଯେ ଚାଳିଶି ରୁ ଉର୍ଦ୍ଧ୍ବ ବିଧାନସଭା କ୍ଷେତ୍ର ରେ କଂଗ୍ରେସ ବିଜୟ ଲାଭ କରିଥାନ୍ତ ମାତ୍ର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ ଡ଼କ୍ଟର ଅଜୟ କୁମାର ବିଜୁ ଜନତା ଦଳ ପାଖରେ ମୁଣ୍ଡ ବିକିଦେଇଥିବାରୁ କଂଗ୍ରେସ କୁ ମାତ୍ର ୧୪ଟି ଆସନ ମିଳିଲା । ନିର୍ବାଚନ ପ୍ରଚାର ସମୟରେ ମାନ୍ୟବର ରାହୁଲ ଗାନ୍ଧୀ ଓ ମାନ୍ୟବର ମଲ୍ଲିକାର୍ଜୁନ ଖଡଗେଙ୍କ ସଭା ବ୍ୟତୀତ ଏହି ଦୁଇ ଜଣଙ୍କୁ କେଉଁଠାରେ ବି ଦେଖିବାକୁ ମିଳିଲାନାହିଁ । ୮୦ଟି ବିଧାନସଭା
ପ୍ରାର୍ଥୀ ଏବଂ ୧୪ଟି ସାଂସଦ ପାର୍ଥୀଙ୍କୁ ଟଙ୍କାଟିଏ ବି ଦଳୀୟ ଫଣ୍ଡ ମିଳିଲା ନାହିଁ । ଯଦିବା ଏଆଇସିସି ସମସ୍ତ ପ୍ରାର୍ଥୀ ଙ୍କ ପାଇଁ ଦଳୀୟ Just ପଠାଇଥିଲେ ।ଯେଉଁ କଂଗ୍ରେସ ପ୍ରାର୍ଥୀ କଂଗ୍ରେସ କାର୍ଯ୍ୟାଳୟରେ କିମ୍ବା ଭୁବନେଶ୍ୱର ସ୍ଥିତ ହୋଟେଲରେ ଡ଼କ୍ଟର ଅଜୟ କୁମାର ଙ୍କୁ ଭେଟି ଦଳୀୟ ଫଣ୍ଡ ପାଇଁ ନିବେଦନ କରିଥିଲେ ସେମାନଙ୍କୁ ଅଜୟ କୁମାର ଅତି ଅଭଦ୍ର ଭାଷା ରେ ଗାଳିଗୁଲଜ କରିଥିଲେ । ମୋର ଭୁଲ ଏତିକି ଥିଲା ଯେ କଂଗ୍ରେସ ପାର୍ଥୀ ଙ୍କୁ ସେମାନଙ୍କ ପ୍ରାପ୍ୟ ଦଳୀୟ ଫଣ୍ଡ ଦେବାକୁ ମୁଁ ଦୃଢ କଣ୍ଠରେ ଦାବି କରିଥିଲି । ଅନ୍ୟ ପକ୍ଷରେ ବହୁ ଯୋଗ୍ୟ ପାର୍ଥୀ ଙ୍କୁ ଟିକେଟ ଦେବାର ୧୦ଦିନ ପରେ ସେମାନଙ୍କ ଟିକେଟ କାଟି ଅନ୍ୟ ମାନଙ୍କୁ ଟିକେଟ ଦବା କାର୍ଯ୍ଯକୁ ମୁଁ ପ୍ରତିବାଦ କରିଥିଲି । ଓଡିଶା ବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ନିଶ୍ଚିତ ଅନୁଭବ କରିଥିବେ ଯେ ପାଖାପାଖି ୧୦୦ ଟି ସିଟରେ କଂଗ୍ରେସ ର ଲଢେଇ ଦୃଶ୍ୟମାନ ନଥିଲା କାରଣ ଶାସକ ଦଳର ଇଂଗିତ ରେ ଉଭୟ ପିସିସି ସଭାପତି ଓ ପ୍ରଭାରୀ ପରିଚାଳିତ ହୋଇ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ଅବହେଳା କରି ପ୍ରଭାରୀ ଅଜୟ କୁମାର ଓଡ଼ିଶା ବାହାରେ ଘୋଡ଼ା ଚଢ଼ାରେ ବ୍ୟସ୍ତ ଥିଲେ ବୋଲି ମାନସ କହିଛନ୍ତି।
ଓଡିଶା କଂଗ୍ରେସକୁ ଧୂଳିସାତ କରିଥିବା ପିସିସି ସଭାପତି ଓ ପ୍ରଭାରୀ ତାଙ୍କ ନିଜ ଦୋଷ କୁ ଘୋଡାଇବା ପାଇଁ ମାନସଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ସେ କହିଛନ୍ତି।