ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେରୋଧାର ସହ ସଂସ୍ଥାପକ ନିଖିଲ କାମତଙ୍କ ପୋଡକାଷ୍ଟରେ ସାମିଲ ହୋଇ ନିଜର ମତ ରଖିଛନ୍ତି । ଗୁରୁବାର ଏହି ସାକ୍ଷାତକାରର ଟ୍ରେଲର ଜାରି କରିଛନ୍ତି ନିଖିଲ କାମତ । ଏଥିରେ ଯୁଦ୍ଧର ସ୍ଥିତି, ରାଜନୀତିରେ ଯୁବପିଢିଙ୍କ ଭାଗିଦାରୀ, ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟକାଳରେ କଣ ପାର୍ଥକ୍ୟ ରହିଛି ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି, ଭୁଲ ତ ହୁଏ, ମୋ ଦ୍ୱାରା ବି ଭୁଲ୍ ହୋଇଛି । ମୁଁ ଜଣେ ମଣିଷ କୌଣସି ଦେବତା ନୁହେଁ । ମୋ ପାଇଁ ଏହା ପ୍ରଥମ ପୋଡକାଷ୍ଟ ଏବଂ ଏହା ଜନତାଙ୍କ ନିକଟକୁ କିପରି ଯିବ ବୋଲି ସାକ୍ଷାତକାର ସମୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ଭଲ ଲୋକ ଆସିବା ଉଚିତ । ମିଶନ ନେଇ କି ଆସନ୍ତ, କୌଣସି ମହତ୍ୱକାଂକ୍ଷୀ ନେଇ ଆସନ୍ତୁ ନାହିଁ । ଯେବେ ମୁଁ ମୁଖ୍ୟମନ୍ତ୍ରୀ ହେଲି ଏହା ହିଁ ମୋର ପ୍ରଥମ ଭାଷଣ ଥିଲା । ମୁଁ ବି ଜଣେ ସାଧାରଣ ମଣିଷ, ମୋ ଦ୍ୱାରା ବି ଭୁଲ୍ ହେବ । ଏହାକୁ ଭ୍ରୁକ୍ଷେପ ନ କରି ଆଗକୁ ବଢିବା ଉଚିତ୍ ।
ସାଂପ୍ରତିକ ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଉପରେ ପ୍ରଧାନନନ୍ତ୍ରୀ କହିଛନ୍ତି ଯେ, ମୁଁ ସର୍ବଦା ଶାନ୍ତି ପକ୍ଷରେ ରହିଛି । ଆପଣଙ୍କ ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ପାର୍ଥକ୍ୟ କଣ ପ୍ରଶ୍ନ ଉପରେ ମୋଦୀ କହିଛନ୍ତି, ପ୍ରଥମ କାର୍ଯ୍ୟକାଳରେ ଲୋକେ ମୋତେ ବୁଝିବାକୁ ଚେଷ୍ଟା କରିଥିଲେ ଏବଂ ମୁଁ ଦିଲ୍ଲୀକୁ ବୁଝିବାକୁ ଚେଷ୍ଟା କରିଥିଲି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ଅନେକ ଥର ସାକ୍ଷାତକାର ଦେଇଛନ୍ତି । କିନ୍ତୁ ଏହା ତାଙ୍କର ପ୍ରଥମ ପୋଡକାଷ୍ଟ । ଆଉ ଏହାର ଭିଡିଓ ନିଖିଲ କାମତ ସେୟାର କରିଛନ୍ତି । ଦୁଇ ମିନିଟ୍ ୧୩ ସେକେଣ୍ଡର ଟ୍ରେଲର ସହ ଭିଡିଓକୁ ଲଞ୍ଚ କରାଯାଇଛି ।