ଶ୍ରୀନଗର: ଇସ୍ରାଏଲ ଶୁକ୍ରବାର ଏକ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାଙ୍କୁ ହତ୍ୟା କରିଥିଲା। ଜମ୍ମୁ-କଶ୍ମୀରରେ ଏହାକୁ ବିରୋଧ କରାଯାଉଛି ଏବଂ ଶହଶହ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ରାଜ୍ୟରେ ନିଜର ନିର୍ବାଚନୀ ପ୍ରଚାର ବାତିଲ କରିଛନ୍ତି।
ପିଡିପି ମୁଖ୍ୟ ମେହବୁବା ମୁଫତି ଶନିବାର କହିଛନ୍ତି ଯେ ସେ ସେପ୍ଟେମ୍ବର ୨୯ରେ ହେବାକୁ ଥିବା ତାଙ୍କ ରାଜନୈତିକ ଅଭିଯାନକୁ ବାତିଲ କରୁଛନ୍ତି। କାରଣ ହେଜବୁଲ୍ଲା ନିଶ୍ଚିତ କରିଛି ଯେ ଇସ୍ରାଏଲ ଏହାର ମୁଖ୍ୟ ହାସନ ନସରଲ୍ଲାଙ୍କୁ ହତ୍ୟା କରିଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଘୋଷଣା କରି କହିଛନ୍ତି ଯେ ସେ ଲେବାନାନ ଏବଂ ପାଲେଷ୍ଟାଇନ ନାଗରିକଙ୍କ ସହ ଏକଜୁଟ ହୋଇ ଠିଆ ହୋଇଛନ୍ତି।
ଲେବାନନ୍ ଓ ଗାଜାର ସହିଦ, ବିଶେଷ କରି ହାସନ ନସରଲ୍ଲାଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ମୁଁ ରବିବାର ମୋର ପ୍ରଚାର ବାତିଲ କରୁଛି। ଏହି ଦୁଃଖ ଏବଂ ଦୃଷ୍ଟାନ୍ତମୂଳକ ପ୍ରତିରୋଧ ସମୟରେ ଆମେ ପାଲେଷ୍ଟାଇନ ଏବଂ ଲେବାନନ୍ ବାସୀଙ୍କ ସହ ଛିଡ଼ା ହୋଇଛୁ।
ହିଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାଙ୍କ ମୃତ୍ୟୁ ପରେ ଜମ୍ମୁ-କଶ୍ମୀରରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା। କାଶ୍ମୀରରେ ଶତାଧିକ ବିକ୍ଷୋଭକାରୀ ନସରଲ୍ଲାଙ୍କ ଫଟୋ ଧରି ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଥିଲେ। କେବଳ ପୁରୁଷ ନୁହଁନ୍ତି ବହୁ ସଂଖ୍ୟକ ମହିଳା ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇ ହିଜବୁଲ୍ଲାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ଶ୍ରୀନଗରର ହସନାବାଦ, ରାଇନାୱାରୀ, ସଇଦାକଡାଲ, ମୀର ବିହାରୀ ଓ ଆଶାବାଗ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ବିରୋଧୀ ଓ ଆମେରିକା ବିରୋଧୀ ସ୍ଲୋଗାନ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଲକ୍ଷ୍ନୌ-ଛପରା ଏକ୍ସପ୍ରେସ୍ ପଥର ସହ ହେଲା ଧକ୍କା