ଆଜିଠାରୁ ଆରମ୍ଭ ହୋଇଛି ଲୋକ ସଭାର ୧୮ତମ ଅଧିବେଶନ ଶପଥ ଗ୍ରହଣ କରୁଛନ୍ତି ନବନିର୍ବାଚିତ ଏମ୍ପି ମାନେ କିନ୍ତୁ ବିଜୁ ଜନତା ଦଳର ନାହାଁନ୍ତି କେହି ଜଣେ ବି ସଦସ୍ଯ। ବିଜେଡି ଇତିହାସରେ ପ୍ରଥମ କରି ଏପରି ଘଟଣା ଘଟିଛି । ଏଥର ଲୋକସଭା ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ କାରଣରୁ ଆଜିର ଲୋକ ସଭା ଅଧିବେଶନରେ ବିଜେଡିର କେହି ସଦସ୍ୟ ନାହାନ୍ତି । ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଥିବା ବେଳେ ସେଥିରୁ ୨୦ଟି ଆସନ ଅକ୍ତିୟାର କରିଛି ବିଜେପି । କେବଳ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲାକା କଂଗ୍ରେସରୁ ପୁନର୍ବାର ବିଜୟୀ ହୋଇ ଏମ୍ପି ହୋଇଛନ୍ତି ।
ଅନ୍ୟପଟେ, ସଂସଦରେ ଏଥର ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ସୋମବାର ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ଏମପି ମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି। ଓଡିଶାର ସ୍ବାର୍ଥକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି। ସଭାପତିଙ୍କ ସହିତ ବୈଠକ ପରେ ବିଜେଡି ଏମପି ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ମୁନ୍ନା ଖାଁ ଏଭଳି କହିଛନ୍ତି।